ବାଲେଶ୍ୱର: ସୋର ଅଞ୍ଚଳରେ ବର୍ଷାଋତୁ ଆରମ୍ଭରୁ ସାପ ଆତଙ୍କ ଉଗ୍ର ରୂପ ଧାରଣ କରିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୨୪ରୁ ଅଧିକ ଲୋକ ସାପ କାମୁଡ଼ାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ରୁ ଅଧିକ ଗୁରୁତର ରୋଗୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୋର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାପ କାମୁଡ଼ା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନିକଟରେ ବାଲିପୁର ଗ୍ରାମର ପ୍ରିୟବ୍ରତ ଦାସ(୩୫) ରାତିରେ ଶୋଇଥିବା ବେଳେ ସାପ କାମୁଡ଼ାର ଶିକାର ହୋଇଥିଲେ। ସେହିପରି ସକାଳ ସମୟରେ ଫୁଲ ତୋଳୁଥିବା ବେଳେ ସବିରା ଗ୍ରାମର ରଞ୍ଜିତା ପରିଡା(୪୧) ଏବଂ ମୋବରକପୁର ଗ୍ରାମର ଆରାଧନା ପାତ୍ର (୫୨) ସାପ କାମୁଡ଼ାରେ ଆହତ ହୋଇଛନ୍ତି। ଅନ୍ୟପଟେ ମଧୁସୁଦନପୁର ଗ୍ରାମର କମଳାକାନ୍ତ ସେଠୀ(୫୩) ସକାଳେ ଘର ପାଖ ପଡ଼ିଆରେ ବୁଲୁଥିବା ବେଳେ ସରୀସୃପ ଆକ୍ରମଣର ଶିକାର ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କେବଳ ଗୋଟିଏ ଦିନରେ ସୋରର ବିଭିନ୍ନ ଅଞ୍ଚଳରୁ ୧୮ରୁ ଅଧିକ ଲୋକ ସାପ କାମୁଡ଼ାର ଶିକାର ହୋଇଛନ୍ତି, ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଏହା ପୂର୍ବ ଦିନ ମଧ୍ୟ ସତ୍ୟଭାମା ସାହୁ, ସଞ୍ଜୁଲତା ପୁଥାଳ, ସୁକଦେବ ଭୋମିକ, ପ୍ରଫୁଲ୍ଲ ବେହେରା, ଉମାକାନ୍ତ ଜେନା, ରବୀନ୍ଦ୍ର ଘଡେଇ ଓ କନକଲତା ସାହୁଙ୍କ ସମେତ ୧୫ରୁ ଅଧିକ ଲୋକ ସାପ କାମୁଡ଼ାରେ ଆହତ ହୋଇ ଡାକ୍ତରଖାନା ଆସିଥିଲେ।

ବର୍ଷା ଦିନେ ଗାତରେ ପାଣି ପଶିଯିବା ଯୋଗୁଁ ସାପମାନେ ବାହାରକୁ ଆସି ସହର ଓ ଗ୍ରାମାଞ୍ଚଳର ବସତି ଆଡ଼କୁ ମୁହାଁଉଛନ୍ତି। ସୋର ଅଞ୍ଚଳରେ ଏହିପରି କ୍ରମାଗତ ସାପ କାମୁଡ଼ା ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।