ନୂଆଦିଲ୍ଲୀ: ଇଥାନଲର ବ୍ୟବହାରକୁ ଆହୁରି ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ପେଟ୍ରୋଲରେ ମିଶ୍ରଣ ପରେ ଏବେ ଇଥାନଲକୁ ଘରୋଇ ରୋଷେଇ ଜାଳେଣି ଭାବେ ବ୍ୟବହାର କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ଫ୍ରେମ୍ୱର୍କ ପ୍ରସ୍ତୁତ କରୁଛି, ଯାହା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇପାରେ।
ବର୍ତ୍ତମାନ ଦେଶରେ ପ୍ରତିବର୍ଷ ପ୍ରାୟ ୨୦୦୦ କୋଟି ଲିଟର ଇଥାନଲ ଉତ୍ପାଦନ ହେଉଛି। ସେଥିମଧ୍ୟରୁ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୧୦୦ କୋଟି ଲିଟର ବ୍ୟବହୃତ ହେଉଥିବା ବେଳେ ଅବଶିଷ୍ଟ ପ୍ରାୟ ୯୦୦ କୋଟି ଲିଟର ଇଥାନଲ ଉପଲବ୍ଧ ରହୁଛି। ଏହି ଅତିରିକ୍ତ ଇଥାନଲକୁ ରୋଷେଇ ଜାଳେଣି ଭାବେ ବ୍ୟବହାର କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ଏଥିପାଇଁ ଇଥାନଲ ଆଧାରିତ ସ୍ୱତନ୍ତ୍ର ଷ୍ଟୋଭ୍, ଇନ୍ଧନ ବିତରଣ ବ୍ୟବସ୍ଥା ଏବଂ ଘରେ ଘରେ ପହଞ୍ଚାଇବା ପାଇଁ ଆବଶ୍ୟକ ଢାଞ୍ଚା ବିକାଶ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ସରକାର ଏହି ନୂଆ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ପାଇଁ ଷ୍ଟୋଭ୍ କିମ୍ବା ଇନ୍ଧନ ଉପରେ ସବ୍ସିଡି ଦେବା ନେଇ ମଧ୍ୟ ବିଚାର କରୁଛନ୍ତି।
ଇଥାନଲ ଷ୍ଟୋଭ୍ ଉପରେ ଗବେଷଣା ଜୋରଦାର
ତୈଳ ବିପଣନ କମ୍ପାନିଗୁଡ଼ିକୁ ଇଥାନଲ ଷ୍ଟୋଭ୍ର ଗବେଷଣା ଓ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ସେମାନେ ଅନ୍ୟ ଗବେଷଣା ସଂସ୍ଥା ସହ ମିଳିତ ଭାବେ ଆଧୁନିକ ପ୍ରଯୁକ୍ତି ବିକାଶ କରିବେ। ଏହାସହ ଲୋକମାନେ ସହଜରେ ଇଥାନଲ ପାଇପାରିବା ପାଇଁ ପେଟ୍ରୋଲ ପମ୍ପରେ ସ୍ୱତନ୍ତ୍ର ଇଥାନଲ କିଓସ୍କ କିମ୍ବା ଏଟିଏମ୍ ଭଳି ବ୍ୟବସ୍ଥା କରିବାର ଯୋଜନା ମଧ୍ୟ ରହିଛି।
କେୟାର ରେଟିଂସ୍ର ଆକଳନ ଅନୁଯାୟୀ, ଦେଶରେ ନୂଆ ଇଥାନଲ କାରଖାନା ସ୍ଥାପନ ପରେ ଆଗାମୀ ଦିନରେ ବାର୍ଷିକ ଉତ୍ପାଦନରେ ଆହୁରି ୪୦୦ କୋଟି ଲିଟର ବୃଦ୍ଧି ହୋଇପାରେ। ବର୍ତ୍ତମାନ ପେଟ୍ରୋଲରେ ମିଶ୍ରଣ ବ୍ୟତୀତ ଇଥାନଲକୁ ମଦ ପ୍ରସ୍ତୁତି, ଔଷଧ ଏବଂ ରସାୟନ ଶିଳ୍ପରେ ବ୍ୟବହାର କରାଯାଉଥିଲେ ମଧ୍ୟ, ସେହି କ୍ଷେତ୍ରଗୁଡ଼ିକର ବାର୍ଷିକ ଚାହିଦା ପ୍ରାୟ ୩୫୦ କୋଟି ଲିଟରରେ ସୀମିତ ରହିଛି।
ଏଲ୍ପିଜି ଓ ଅଶୋଧିତ ତୈଳ ଆମଦାନି କମିପାରେ
ସରକାରଙ୍କ ମତରେ, ଏହି ଯୋଜନା ସଫଳ ହେଲେ ଅଶୋଧିତ ତୈଳ ଏବଂ ଏଲ୍ପିଜି ଆମଦାନି ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। ଏହାଦ୍ୱାରା ବୈଦେଶିକ ମୁଦ୍ରା ସଞ୍ଚୟ ସହ ଶକ୍ତି ସୁରକ୍ଷା ମଧ୍ୟ ସୁଦୃଢ଼ ହେବ। ଏଥିସହ ବଳକା ଇଥାନଲକୁ ନେପାଳ, ବାଂଲାଦେଶ ଏବଂ ଇଣ୍ଡୋନେସିଆ ଭଳି ଦେଶକୁ ରପ୍ତାନି କରିବାର ସମ୍ଭାବନା ନେଇ ମଧ୍ୟ ତୈଳ କମ୍ପାନିଗୁଡ଼ିକୁ ଅଧ୍ୟୟନ କରିବାକୁ କୁହାଯାଇଛି।




