ଭୁବନେଶ୍ୱର: ଓଡ଼ିଆ ଉଚ୍ଚାରଣ ସହ ସାମଞ୍ଜସ୍ୟ ରଖି ସଂଶୋଧନ କରାଯାଇଥିବା ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଓ ସହରାଞ୍ଚଳର ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି। ଏନେଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛନ୍ତି।

ରାଜ୍ୟ ସରକାର ଗତ ଜୁନ୍ ୨୨ରେ ଜାରି କରିଥିବା ବିଜ୍ଞପ୍ତିରେ ଓଡ଼ିଆ ଉଚ୍ଚାରଣ ଅନୁରୂପ ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ୍ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ଇଂରାଜୀ ବନାନରେ ସଂଶୋଧନ କରାଯାଇଥିଲା। ତେବେ ଏହି ପରିବର୍ତ୍ତନ କେବଳ ଇଂରାଜୀ ବନାନ ସହ ସମ୍ପର୍କିତ ଏବଂ ପ୍ରଶାସନିକ ଏକକଗୁଡ଼ିକର ନାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ନୂତନ ନିର୍ଦ୍ଦେଶ ଅନୁଯାୟୀ, ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଚାର, ଅଧିସୂଚନା, ଅଭିଲେଖ, ସରକାରୀ ୱେବସାଇଟ୍, ପୋର୍ଟାଲ୍, ବିଜ୍ଞାପନ, ନାମଫଳକ ଏବଂ ଅନ୍ୟାନ୍ୟ ପ୍ରଶାସନିକ ବ୍ୟବହାରରେ ତୁରନ୍ତ ପ୍ରୟୋଗ କରିବାକୁ କୁହାଯାଇଛି। ଜିଲ୍ଲାସ୍ତରର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍ଥାନୀୟ ସଂସ୍ଥା ଓ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମ୍ପୃକ୍ତ ପ୍ରଶାସନିକ ଅଞ୍ଚଳରେ ଥିବା ବ୍ୟବସାୟିକ ଓ ବେସରକାରୀ ସଂସ୍ଥାମାନଙ୍କୁ ସଂଶୋଧିତ ଇଂରାଜୀ ବନାନ ଅନୁଯାୟୀ ନିଜ ନାମଫଳକ ପରିବର୍ତ୍ତନ କରିବା ପାଇଁ ୬ ମାସ ସମୟ ଦିଆଯାଇଛି।

ରାଜସ୍ୱ ବିଭାଗ କହିଛି, ସଂଶୋଧିତ ଇଂରାଜୀ ବନାନର ସମ୍ପୂର୍ଣ୍ଣ ପ୍ରୟୋଗ ଦ୍ୱାରା ରାଜ୍ୟର ଭାଷାଗତ ଓ ସାଂସ୍କୃତିକ ପରିଚୟ ଅଧିକ ସୁଦୃଢ଼ ହେବ। ଏହାସହ ସମସ୍ତ ସରକାରୀ ଅଭିଲେଖ ଏବଂ ପ୍ରଶାସନିକ କାର୍ଯ୍ୟରେ ସମାନତା, ସଠିକତା ଓ ଏକରୂପତା ବଜାୟ ରହିବ ବୋଲି ବିଭାଗ ଆଶା ପ୍ରକାଶ କରିଛି।