ଭୁବନେଶ୍ୱର: ରାଜଧାନୀ ନିକଟରେ ଜଣେ ଯୁବତୀଙ୍କ ସହ ଘଟିଥିବା ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଲିଫ୍ଟ ଦେବା ବାହାନାରେ ଜଣେ ଯୁବକ ଯୁବତୀଙ୍କୁ ରତନପୁର କାଜୁ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯୁବତୀ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ଛୁରାରେ ଆକ୍ରମଣ କରିଥିଲା। ତେବେ ସାହସିକତାର ସହ ପୀଡ଼ିତା ଅଭିଯୁକ୍ତଙ୍କ କବଳରୁ ଖସି ପ୍ରାୟ ୧୨ କିଲୋମିଟର ଦୌଡ଼ି ନିଜ ଜୀବନ ରକ୍ଷା କରିଥିଲେ।

ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ପରେ ତାଙ୍କ ବୟାନ ରେକର୍ଡ କରିଛି। ଅନ୍ୟପଟେ ଅଭିଯୁକ୍ତ ସୁନୀଲକୁ ନୟାଗଡ଼ ଅଭିମୁଖେ ପଳାଇବା ବେଳେ ଇନଫୋଭ୍ୟାଲି ପୁଲିସ ଗିରଫ କରିଛି। ତାଙ୍କ ବିରୋଧରେ ଅପହରଣ, ଦୁଷ୍କର୍ମ ଉଦ୍ୟମ, ଛୁରାମାଡ଼ ସମେତ ପ୍ରାୟ ୧୦ଟି ଗୁରୁତର ଦଫାରେ ମାମଲା ରୁଜୁ କରାଯାଇଛି। ତାଙ୍କୁ ରିମାଣ୍ଡରେ ଆଣି ଟିଆଇ ପରେଡ୍ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ ସୂଚନା ଅନୁଯାୟୀ, ପୀଡ଼ିତା ଖୋର୍ଦ୍ଧା କଲେକ୍ଟରେଟ୍ ଛକ ନିକଟ ବସ୍‌ଷ୍ଟପ୍‌ରେ ଭୁବନେଶ୍ୱର ଆସିବା ପାଇଁ ବସ୍‌କୁ ଅପେକ୍ଷା କରୁଥିଲେ। ଦୀର୍ଘ ସମୟ ବସ୍‌ ନ ମିଳିବା ଓ ମୋବାଇଲ୍‌ର ଚାର୍ଜ ପ୍ରାୟ ଶେଷ ହୋଇଯିବାରୁ ସେ ଅସହାୟ ଅବସ୍ଥାରେ ଥିଲେ। ଏହି ସୁଯୋଗକୁ ଅଭିଯୁକ୍ତ ସୁନୀଲ ବ୍ୟବହାର କରି ଲିଫ୍ଟ ଦେବା ପ୍ରସ୍ତାବ ଦେଇଥିଲା। ପରିସ୍ଥିତି ବଶତଃ ଯୁବତୀ ତାଙ୍କ ସହ ଯିବାକୁ ରାଜି ହୋଇଥିଲେ।

ଭୁବନେଶ୍ୱର ଆସିବା ପରିବର୍ତ୍ତେ ଅଭିଯୁକ୍ତ ପିତାପଲ୍ଲୀ ନିକଟ କାଜୁ ଜଙ୍ଗଲ ଆଡ଼କୁ ଗାଡ଼ି ନେଇଥିଲା। ପୀଡ଼ିତା ଏନେଇ ପ୍ରଶ୍ନ କରିବାରୁ ସେ ‘ସର୍ଟକଟ୍‌ ରାସ୍ତା’ ବୋଲି କହି ତାଙ୍କୁ ଜଙ୍ଗଲ ଭିତରକୁ ନେଇଥିଲା। ସେଠାରେ ଗାଡ଼ି ଅଟକାଇ ଛୁରୀ ଦେଖାଇ ଯୁବତୀଙ୍କୁ ବିବସ୍ତ୍ର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କ ତଳିପେଟରେ ଛୁରାମାଡ଼ କରିଥିଲା।

ଏହି ସମୟରେ ନିକଟରେ ଅନ୍ୟ ଗାଡ଼ିର ଶବ୍ଦ ଶୁଣି ଅଭିଯୁକ୍ତ କିଛି କ୍ଷଣ ପାଇଁ ଅନ୍ୟମନସ୍କ ହୋଇଯାଇଥିଲା। ସେହି ସୁଯୋଗରେ ପୀଡ଼ିତା ତାଙ୍କୁ ଧକ୍କା ଦେଇ ସେଠାରୁ ଖସି ପଳାଇଥିଲେ। ରକ୍ତାକ୍ତ ଅବସ୍ଥାରେ ପ୍ରାୟ ୧୨ କିଲୋମିଟର ଦୌଡ଼ିବା ସହ ସେ ଜରୁରୀକାଳୀନ ନମ୍ବର ୧୧୨କୁ ଫୋନ୍‌ କରି ସାହାଯ୍ୟ ମାଗିଥିଲେ।

ଖବର ପାଇ ଇନଫୋଭ୍ୟାଲି ଥାନା ଆଇଆଇସି ଚନ୍ଦ୍ରକାନ୍ତ ସେଠୀଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାକୁ ପ୍ରସ୍ତୁତି ଚଳାଇଛି।