ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବା ‘ସ୍ୱେସାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍’ (SIR)କୁ ନେଇ ବ୍ୟାପକ ଦ୍ୱନ୍ଦ୍ୱ, ସାଧାରଣରେ ଅସନ୍ତୋଷ ଏବଂ ରାଜନୈତିକ ଅଶାନ୍ତି ଦେଖାଦେଇଛି। ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରୁ ରାଜ୍ୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ହଟାଇ ଦିଆଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
ବିଶେଷକରି ମାଲକାନଗିରି, ଗଞ୍ଜାମ ଏବଂ କଟକ ଜିଲ୍ଲାରେ ସର୍ବାଧିକ ଭୋଟରଙ୍କ ନାମ କଟାଯାଇଛି। ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର ସଦର ବ୍ଲକ ଏବଂ କାଲିମେଳା ଅଞ୍ଚଳରେ ହଜାର ହଜାର ଭୋଟର ଭିଡ଼ ଜମାଉଛନ୍ତି। ବିଏଲଓ (BLO)ଙ୍କ ନୋଟିସ୍ ପାଇ ଲୋକମାନେ କେଉଁ କାଗଜପତ୍ର ଦାଖଲ କରିବେ, ତାହା ନବୁଝି ପାରି ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମପଞ୍ଚାୟତ ସ୍ତରରେ ହେଉଥିବା ଜନଅଭିଯୋଗ ଶୁଣାଣିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।
କାହିଁକି ଆସୁଛି ନୋଟିସ୍?
ସର୍ଭେ ସମୟରେ ଆବଶ୍ୟକୀୟ ୧୨ ପ୍ରକାର ଦସ୍ତାବିଜ୍ ଦାଖଲ କରିପାରିନଥିବା ଭୋଟରଙ୍କୁ ଜନଶୁଣାଣି ପାଇଁ ଡକାଯାଇଛି। ଏହାସହ ୨୦୦୨ ତାଲିକାରେ ନାମ ନଥିବା ଓ ୨୦୦୫ ତାଲିକାରେ ନାମ ଥିବା ବ୍ୟକ୍ତି। ନାମ, ବୟସ, ଠିକଣା ବା ପିତା-ମାତାଙ୍କ ନାମରେ ଭୁଲ୍ ଥିବା ଭୋଟର।ସର୍ଭେ ସମୟରେ ଘରେ ଅନୁପସ୍ଥିତ ଥିବା ଓ ପୁରୁଣା ତାଲିକା ସହ ଲିଙ୍କେଜ୍ ନଥିବା ବ୍ୟକ୍ତି।
ସଠିକ୍ ସୂଚନାର ଅଭାବ ଯୋଗୁଁ ଦୁର୍ଗମ ଅଞ୍ଚଳର ଆଦିବାସୀ ଓ ସାଧାରଣ ଲୋକେ ବ୍ଲକ୍ କାର୍ଯ୍ୟାଳୟ ଏବଂ ତହସିଲଦାରଙ୍କ ଦ୍ୱାରସ୍ଥ ହେଉଛନ୍ତି। ତାଲିକାରୁ ବାଦ୍ ପଡ଼ିଥିବା ଭୋଟରମାନେ ନିଜର ନାମ ପୁନର୍ବାର ଯୋଡ଼ିବା ପାଇଁ ଫର୍ମ-୬ (Form 6) ଜରିଆରେ କିପରି ଆବେଦନ କରିବେ, ସେ ନେଇ ପ୍ରଶାସନ ପକ୍ଷରୁ ଅଧିକ ସଚେତନତାର ଆବଶ୍ୟକତା ରହିଛି।




