ନୂଆଦିଲ୍ଲୀ: ୟୁକ୍ରେନ ଉପକୂଳ ନିକଟରେ ଗିନି-ବିସାଉ ପତାକା ବହନ କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୪ ଜଣ ଭାରତୀୟ ନାଗରିକଙ୍କ ସମେତ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିବା ପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ରୁଷର ଚାର୍ଜ ଡି’ଆଫେୟର୍ସଙ୍କୁ ସମନ ଜାରି କରିଛି। ଯୁଦ୍ଧ ସମୟରେ ବାଣିଜ୍ୟିକ ଜାହାଜ ଏବଂ ନିରୀହ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଭାରତ ଆହ୍ୱାନ ଜଣାଇଛି।

ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ନିନ୍ଦନୀୟ: ଭାରତ

ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଜୁଲାଇ ୧୯ ସନ୍ଧ୍ୟାରେ ଓଡେସା ବନ୍ଦରରୁ ଯାତ୍ରା ଆରମ୍ଭ କରିଥିବା ବାଣିଜ୍ୟିକ ଜାହାଜ ଏମ୍‌ଭି ଗୋଲଡେନ୍ ଲିଓରେ ମୋଟ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ଭାରତୀୟ ନାଗରିକ ଥିଲେ। ଆକ୍ରମଣରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଭାରତୀୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ମନ୍ତ୍ରଣାଳୟ କହିଛି, ବାଣିଜ୍ୟିକ ଜାହାଜକୁ ଲକ୍ଷ୍ୟ କରି ଆକ୍ରମଣ କରିବା, ନିରୀହ କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇବା ଏବଂ ସମୁଦ୍ରପଥରେ ବାଣିଜ୍ୟ ଓ ନୌଚାଳନାର ସ୍ୱାଧୀନତାକୁ ବାଧା ସୃଷ୍ଟି କରିବା ଅତ୍ୟନ୍ତ ନିନ୍ଦନୀୟ। ଏଭଳି ଆକ୍ରମଣ ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ଭାରତ ମତ ପ୍ରକାଶ କରିଛି।

ଆହତଙ୍କୁ ସହାୟତା ପାଇଁ ସକ୍ରିୟ ଭାରତୀୟ ଦୂତାବାସ

ବୈଦେଶିକ ମନ୍ତ୍ରଣାଳୟ କହିଛି, ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ପ୍ରଭାବିତ ଭାରତୀୟଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେଉଛି। ମୃତ ଭାରତୀୟଙ୍କ ପରିବାରଙ୍କ ପ୍ରତି ସରକାର ଗଭୀର ସମବେଦନା ଜଣାଇଥିବା ବେଳେ ଆହତ ନାବିକଙ୍କ ଶୀଘ୍ର ସୁସ୍ଥତା କାମନା କରିଛି।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହାଙ୍କ କହିବା ଅନୁଯାୟୀ, ରବିବାର ୟୁକ୍ରେନର ସାମୁଦ୍ରିକ କରିଡର ଦେଇ ଯାଉଥିବା ଏକ ବେସାମରିକ ବାଣିଜ୍ୟିକ ଜାହାଜ ଉପରେ ରୁଷ କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଜାହାଜରେ ଭାରତୀୟ ଓ ସିରିଆର ନାଗରିକମାନେ କ୍ରୁ ସଦସ୍ୟ ଭାବେ କାର୍ଯ୍ୟରତ ଥିଲେ।

ଉଲ୍ଲେଖଯୋଗ୍ୟ, ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ କ୍ଷେପଣାସ୍ତ୍ର ଆକ୍ରମଣରେ ଭାରତୀୟ ନାବିକଙ୍କ ମୃତ୍ୟୁର ଏହା ପ୍ରଥମ ଘଟଣା ବୋଲି ସୂଚନା ମିଳିଛି।