ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଓ ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ କଂଗ୍ରେସ ମଙ୍ଗଳବାର ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ନିକଟରେ ଅଚାନକ ଧାରଣା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ହୋଇଥିବା ଏହି ପ୍ରଦର୍ଶନ କିଛି ସମୟ ପାଇଁ ପ୍ରଶାସନକୁ ଅଡ଼ୁଆରେ ପକାଇଥିଲା। ପରେ ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିରୋଧୀ ନେତାଙ୍କୁ ସେଠାରୁ ଅଟକାଇ ନେଇଥିଲା।

ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଆରମ୍ଭ ହୋଇଥିବା ଧାରଣାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇଥିଲେ। ନେତାମାନେ ଖଡ଼ଗେଙ୍କ ବାସଭବନରୁ ପଦଯାତ୍ରା କରି ଧାରଣାସ୍ଥଳରେ ପହଞ୍ଚିଥିଲେ। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ହାତରେ ଧଳା ଦଉଡ଼ି ବାନ୍ଧି ପ୍ରତିବାଦ ଜଣାଇଥିଲେ।

ପ୍ରଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଧାରଣାସ୍ଥଳରେ ପହଞ୍ଚି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରି ପୁଣି ଥରେ କଂଗ୍ରେସ ନେତାଙ୍କ ସହ କଥା ହୋଇଥିଲେ।

ସାମାଜିକ ଗଣମାଧ୍ୟମରେ ଜିତେନ୍ଦ୍ର ସିଂହ ଦାବି କରିଛନ୍ତି ଯେ, ପ୍ରଥମେ ରାହୁଲ ଗାନ୍ଧୀ କେବଳ ସଂସଦରେ ନିଟ୍‌ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ ଏବଂ ସରକାର ଏହାକୁ ଗ୍ରହଣ କରିଥିଲେ। ପରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ମଧ୍ୟ ଯୋଡ଼ାଯାଇଥିବା ସେ କହିଛନ୍ତି।

ଧାରଣାସ୍ଥଳରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ମଧ୍ୟ ପହଞ୍ଚି ସୁରକ୍ଷା କାରଣରୁ ସେହି ସ୍ଥାନରେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି କହିଥିଲେ। କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସ୍ଲୋଗାନ ଦେଇଥିଲେ। ପରେ ପୁଲିସ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, କଂଗ୍ରେସ ନେତା କନ୍ହେୟା କୁମାରଙ୍କ ସମେତ ବହୁ ନେତାଙ୍କୁ ବସ୍‌ରେ ବସାଇ ସେଠାରୁ ନେଇଯାଇଥିଲା।

ଏହି ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଜନ୍ମଦିନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେ ଜନ୍ମଦିନ ପାଳନ ନ କରିବାକୁ ଘୋଷଣା କରିଥିଲେ।

ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ଛାତ୍ରଙ୍କ ଉପରେ ଆକ୍ରମଣ ଦେଶର ପ୍ରତ୍ୟେକ ପରିବାର ଉପରେ ଆକ୍ରମଣ ସଦୃଶ। ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳିବା ପାଇଁ ସେ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।

ପୁଲିସ କହିଛି, ଲୋକ କଲ୍ୟାଣ ମାର୍ଗ ଅତ୍ୟନ୍ତ ସମ୍ବେଦନଶୀଳ ସୁରକ୍ଷା ଅଞ୍ଚଳ ହୋଇଥିବାରୁ ସେଠାରେ ଧାରଣା କିମ୍ବା ପ୍ରଦର୍ଶନ ପାଇଁ ଅନୁମତି ନାହିଁ। ଏହି ଅଞ୍ଚଳରେ BNS ଧାରା ୧୬୩ ଲାଗୁ ଥିବାରୁ ପାଞ୍ଚ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ସମାବେଶ ଉପରେ କଟକଣା ରହିଛି। ପୁଲିସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମେତ ବହୁ ସାଂସଦ, ନେତା ଓ କର୍ମୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।