ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମୟରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଓ ଦଳାଚକଟା ଜନିତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଜୁ ଜନତା ଦଳ (ବିଜେଡି)। ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ ଦାବି କରାଯିବା ସହ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଲୋଡ଼ାଯାଇଛି।
ବିଜେଡି ଅଭିଯୋଗ କରିଛି ଯେ ଦଳାଚକଟାରେ ଭକ୍ତଙ୍କ ଜୀବନ ଯାଇଥିବା ସତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଛ ତଥ୍ୟ ରଖି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ବାହୁଡ଼ା ଯାତ୍ରା ସମୟରେ ଦଳାଚକଟା ଯୋଗୁଁ ଆଉ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଛନ୍ତି। ମାତ୍ର ସରକାର ନିଜର ବିଫଳତାକୁ ସ୍ୱୀକାର କରିବା ପରିବର୍ତ୍ତେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି।
ପୂର୍ବରୁ ରଥଯାତ୍ରା ଦିନ ମଧ୍ୟ ଦଳାଚକଟା ଯୋଗୁଁ ୩ ଜଣ ଭକ୍ତଙ୍କ ଜୀବନ ଯାଇଥିଲା, କିନ୍ତୁ ସେତେବେଳେ ମଧ୍ୟ ପ୍ରଶାସନ ସତ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲା। ରଥଯାତ୍ରାର ଆରମ୍ଭରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ବିଭ୍ରାଟ ଓ ଅବ୍ୟବସ୍ଥା ଦେଖାଦେଇଛି, ଯାହା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ପହଞ୍ଚାଇଛି।
ଦଳ କହିଛି ଯେ ଯଦି ସରକାର ସ୍ୱଚ୍ଛତାରେ ବିଶ୍ୱାସ କରନ୍ତି, ତେବେ ଅବିଳମ୍ବେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବାରେ ହୋଇଥିବା ଏହି ବଡ଼ ଧରଣର ଅବହେଳା ପାଇଁ ରାଜ୍ୟବାସୀ ସରକାରଙ୍କୁ କେବେବି କ୍ଷମା କରିବେ ନାହିଁ ବୋଲି ବିଜେଡି ଚେତାବନୀ ଦେଇଛି।




