ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ମିଶନ ଓ ପ୍ରକଳ୍ପରେ କାର୍ଯ୍ୟରତ ପରାମର୍ଶଦାତା (Consultants), ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (PMU) ଏବଂ ଟେକ୍ନିକାଲ୍ ସପୋର୍ଟ ୟୁନିଟ୍ (TSU) କର୍ମଚାରୀଙ୍କ ପାଇଁ ଏକ ଆଶ୍ୱାସନାଜନକ ଖବର ଆସିଛି। ସରକାର ଏହି ବ୍ୟବସ୍ଥାର ଅବଧିକୁ ପୁଣି ଥରେ ୩ ମାସ ବୃଦ୍ଧି କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଏହି ଅବଧିକୁ ୨୦୨୬ ଜୁଲାଇ ୧ରୁ ବଢ଼ାଇ ୨୦୨୬ ଅକ୍ଟୋବର ୧ ପର୍ଯ୍ୟନ୍ତ କରାଯାଇଛି, ଯାହାଦ୍ୱାରା କର୍ମଚାରୀଙ୍କ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ପାରିଶ୍ରମିକ ପ୍ରଦାନର ପଥ ପରିଷ୍କାର ହୋଇଛି।
ଅର୍ଥ ବିଭାଗ ପକ୍ଷରୁ ଜାରି ଅଫିସ୍ ମେମୋରାଣ୍ଡମ୍ ଅନୁଯାୟୀ, ୨୦୨୫ ଜୁଲାଇ ୩୧ରେ ଜାରି ହୋଇଥିବା ନିର୍ଦ୍ଦେଶନାମାର ସମୟସୀମା ୨୦୨୬ ଜୁଲାଇ ୧ରେ ଶେଷ ହୋଇଥିଲା। ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅନିଶ୍ଚିତତା ପ୍ରକାଶ ପାଇଥିଲା। ଏବେ ସରକାର ସମୟସୀମା ବୃଦ୍ଧି କରିଥିବାରୁ ସମସ୍ତ ବିଭାଗକୁ ଆବଶ୍ୟକୀୟ ପାରିଶ୍ରମିକ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ସରକାରୀ ବିଭାଗଗୁଡ଼ିକରେ ପ୍ରକଳ୍ପ ପରିଚାଳନା, ବୈଷୟିକ ସହାୟତା, ଆଇଟି, ଗବେଷଣା ଓ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହି ସଂସ୍ଥାମାନଙ୍କୁ ନିୟୋଜିତ କରାଯାଇଥାଏ। ରାଜ୍ୟପାଳଙ୍କ ଆଦେଶକ୍ରମେ ଅର୍ଥ ବିଭାଗର ଯୁଗ୍ମ ସଚିବ ଅନିଲ କୁମାର ପୁରୋହିତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାର ନକଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବ ଓ ସମସ୍ତ ବିଭାଗକୁ ପଠାଯିବା ସହ ୱେବସାଇଟ୍ରେ ଅପଲୋଡ୍ କରାଯାଇଛି।




