ନୂଆଦିଲ୍ଲୀ: NEET-UG ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଦେଶବ୍ୟାପୀ ଜାରି ରହିଥିବା ବିବାଦ ଏବଂ ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୋସିଆଲ ମିଡିଆ ଜରିଆରେ ସେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ସହ ଇସ୍ତଫା ଦେବାର କାରଣ ସ୍ପଷ୍ଟ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଗତ ଚାରି ଦଶନ୍ଧି ଧରି ସେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ନିରନ୍ତର ସମର୍ପିତ ରହିଆସିଛନ୍ତି। ୨୦୨୬ ମେ’ ୩ ରେ ଅନୁଷ୍ଠିତ NEET ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା କ୍ଷଣି ସରକାର ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସମଗ୍ର ମାମଲାର ନିରପେକ୍ଷ ତଦନ୍ତ ଭାର ସିବିଆଇ (CBI) କୁ ହସ୍ତାନ୍ତର କରାଯିବା ସହ ଜୁନ୍ ୨୧ ରେ ପୁନଃ ପରୀକ୍ଷା କରାଯାଇଥିଲା। ତେବେ ଏତେ ସବୁ ପଦକ୍ଷେପ ସତ୍ତ୍ୱେ କିଛି ଗୋଷ୍ଠୀ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କୋମଳମତି ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ତାଙ୍କୁ ଗଭୀର ଆଘାତ ଦେଇଛି।
“ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୌଣସି ଆଇନଗତ ବିବାଦ କିମ୍ବା ରାଜନୈତିକ ଟଣାଓଟରା ମଧ୍ୟରେ ଫସି ନରହୁ — ଏହି ଭାବନା ରଖି ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।” — ଧର୍ମେନ୍ଦ୍ର ପ୍ରଧାନ
ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଏବଂ ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ତାଙ୍କ ପାଇଁ ସର୍ବୋପରି। ଶେଷରେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ବିଶ୍ୱାସ ପାଇଁ କୃତଜ୍ଞତା ଜଣାଇଛନ୍ତି। ମନ୍ତ୍ରୀ ପଦରୁ ଓହରିବା ପରେ ମଧ୍ୟ ସେ ଓଡ଼ିଶାର ଜନସାଧାରଣ ଏବଂ ଦେଶର ଯୁବସମାଜର ସେବା ପାଇଁ ପୂର୍ବପରି କାର୍ଯ୍ୟ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।




