ନୂଆଦିଲ୍ଲୀ: ଦେଶରେ ସାର୍ବଜନିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଓ ଅସାଧୁ ଉପାୟକୁ ରୋକିବା ପାଇଁ କେନ୍ଦ୍ର ସରକାର ‘ପବ୍ଲିକ୍‌ ଏକ୍ସାମିନେସନ୍‌ (ପ୍ରିଭେନ୍‌ସନ୍‌ ଅଫ୍‌ ଅନ୍‌ଫେୟାର୍‌ ମିନ୍ସ) (ସଂଶୋଧନ) ବିଲ୍‌, ୨୦୨୬’ ସଂସଦରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ସମ୍ପ୍ରତି ଘଟିଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଜନଅସନ୍ତୋଷ ପରିପ୍ରେକ୍ଷୀରେ ବର୍ତ୍ତମାନ ଆଇନକୁ ଆହୁରି କଠୋର କରିବା ପାଇଁ ଏହି ସଂଶୋଧନ ପ୍ରସ୍ତାବ ଆଣାଯାଇଛି। ରବିବାର ବିଲ୍‌ର ଚିଠା ସାଂସଦମାନଙ୍କୁ ବଣ୍ଟନ କରାଯାଇଛି।

ଚିଠା ବିଲ୍‌ ଅନୁଯାୟୀ, ସଂଗଠିତ ଭାବେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କିମ୍ବା ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତି, ଗ୍ୟାଙ୍ଗ୍‌, ସଂସ୍ଥା ଏବଂ ସେବା ପ୍ରଦାନକାରୀଙ୍କ ବିରୋଧରେ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ₹୧୦ କୋଟି ପର୍ଯ୍ୟନ୍ତ ଜରିମାନା ଲାଗୁ କରିବାର ବ୍ୟବସ୍ଥା ରହିଛି। ଏହାସହ ଅପରାଧ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ କ୍ଷତି ମଧ୍ୟ ଦୋଷୀଙ୍କଠାରୁ ଆଦାୟ କରାଯାଇପାରିବ।

ବିଲ୍‌ରେ ପ୍ରଶ୍ନପତ୍ର ଲିକ୍‌ ସମ୍ବନ୍ଧୀୟ ମାମଲାର ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟ୍‌ଟ୍ରାକ୍‌ କୋର୍ଟକୁ ଆଇନଗତ ସ୍ୱୀକୃତି ଦେବା ପ୍ରସ୍ତାବ ରହିଛି। ଏହି କୋର୍ଟର ରାୟ ବିରୋଧରେ ହାଇକୋର୍ଟରେ ଦାଖଲ ହେଉଥିବା ଆବେଦନର ଶୁଣାଣି ତିନି ମାସ ମଧ୍ୟରେ ଶେଷ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ମତରେ, ଏହାଦ୍ୱାରା ମାମଲାଗୁଡ଼ିକ ଦୀର୍ଘଦିନ ଧରି ବିଚାରାଧୀନ ରହିବା ପ୍ରବଣତା କମିବ।

ଏହି ସଂଶୋଧନ ବିଲ୍‌ ୨୦୨୪ରେ ପ୍ରଣୀତ ‘ପବ୍ଲିକ୍‌ ଏକ୍ସାମିନେସନ୍‌ (ପ୍ରିଭେନ୍‌ସନ୍‌ ଅଫ୍‌ ଅନ୍‌ଫେୟାର୍‌ ମିନ୍ସ) ଆଇନ’କୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଗତ କିଛି ମାସ ଧରି ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ ଦେଶବ୍ୟାପୀ ପ୍ରତିବାଦ ହୋଇଥିବା ପରିପ୍ରେକ୍ଷୀରେ ସରକାର ଏହି କଠୋର ପଦକ୍ଷେପ ନେଉଛନ୍ତି।

ସରକାରଙ୍କ କହିବା ଅନୁଯାୟୀ, ଏହି ବିଲ୍‌ର ଲକ୍ଷ୍ୟ ହେଉଛି ସାର୍ବଜନିକ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତାକୁ ସୁଦୃଢ଼ କରିବା। ସଂସଦରେ ବିଲ୍‌ଟି ଅନୁମୋଦନ ପାଇଲେ ପ୍ରଶ୍ନପତ୍ର ଲିକ୍‌, ସଂଗଠିତ ପରୀକ୍ଷା ଜାଲିଆତି ଏବଂ ଅନ୍ୟାନ୍ୟ ଅସାଧୁ କାର୍ଯ୍ୟକଳାପ ବିରୋଧରେ ଆଇନଗତ ବ୍ୟବସ୍ଥା ଆହୁରି କଡ଼ା ହେବ।