ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ କନନ ଗୋପୀନାଥନ ନିଜର ୨୦୧୯ ମସିହାର ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନଥିବା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମାଜିକ ଗଣମାଧ୍ୟମରେ କଟାକ୍ଷ କରିଛନ୍ତି। ଏକ୍ସ (ପୂର୍ବତନ ଟ୍ୱିଟର)ରେ ସେ କରିଥିବା ପୋଷ୍ଟକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଗୋପୀନାଥନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଯଦି ବର୍ତ୍ତମାନ ଇସ୍ତଫା ଗ୍ରହଣ କରାଯାଉଛି, ତେବେ ତାଙ୍କର ଇସ୍ତଫା ମଧ୍ୟ ଗ୍ରହଣ କରାଯାଉ। ସେ ଦାବି କରିଛନ୍ତି ଯେ, ତାଙ୍କ ଇସ୍ତଫା ଗତ ସାତ ବର୍ଷ ଧରି ବିଚାରାଧୀନ ରହିଛି।
୨୦୧୨ ବ୍ୟାଚ୍ର AGMUT କ୍ୟାଡରର IAS ଅଧିକାରୀ ଥିବା କନନ ଗୋପୀନାଥନ ଗତବର୍ଷ କଂଗ୍ରେସରେ ଯୋଗ ଦେଇଥିଲେ। ସୋସିଆଲ୍ ମିଡିଆରେ ଜଣେ ବ୍ୟବହାରକାରୀ ସେ ସରକାରଙ୍କଠାରୁ ଦରମା ପାଉଛନ୍ତି କି ନାହିଁ ବୋଲି ପଚାରିବାରୁ, ସେ ଉତ୍ତର ଦେଇଥିଲେ ଯେ ନା ସେ ଦରମା ପାଉଛନ୍ତି, ନା ତାଙ୍କୁ ନିଲମ୍ବିତ କରାଯାଇଛି। ନିଜ ଇସ୍ତଫା ଦୀର୍ଘଦିନ ଧରି ବିଚାରାଧୀନ ରହିଥିବା ନେଇ ମଧ୍ୟ ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
କନନ ଗୋପୀନାଥନ ୨୦୧୯ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ଲାଗୁ କରାଯାଇଥିବା କଟକଣାକୁ ବିରୋଧ କରି IAS ପଦରୁ ଇସ୍ତଫା ଦେଇଥିଲେ। ପରେ କଂଗ୍ରେସରେ ଯୋଗଦେବା ସମୟରେ ସେ କହିଥିଲେ ଯେ, ସେହି ନିଷ୍ପତ୍ତି ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା।
ଗଣମାଧ୍ୟମରେ ପ୍ରକାଶିତ କିଛି ରିପୋର୍ଟ ଅନୁଯାୟୀ, ତାଙ୍କ ଇସ୍ତଫା ସମ୍ପର୍କିତ ଚୂଡ଼ାନ୍ତ ସୁପାରିସ ଏପର୍ଯ୍ୟନ୍ତ କାର୍ମିକ ଓ ତାଲିମ ବିଭାଗ (DoPT)କୁ ପଠାଯାଇନଥିବାବେଳେ, ଏହା ଗୃହ ମନ୍ତ୍ରଣାଳୟରେ ବିଚାରାଧୀନ ରହିଥିବା କୁହାଯାଇଛି। ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଦ୍ୟ କୌଣସି ବିସ୍ତୃତ ସରକାରୀ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।




