କୋର୍ଟରେ ଆତ୍ମସମର୍ପଣ କଲେ ତତ୍କାଳୀନ DFO ସଂଗ୍ରାମ ବେହେରା, ଜାମିନ ନାମଞ୍ଜୁର ପରେ ଗଲେ ଜେଲ୍‌

ପାରଳାଖେମୁଣ୍ଡି: ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ମୋଡ଼ ଆସିଛି। ମାମଲାରେ ଅଭିଯୁକ୍ତ ତତ୍କାଳୀନ ଡିଏଫ୍‌ଓ (DFO) ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। କୋର୍ଟ ତାଙ୍କ ଆବେଦନ ଶୁଣାଣି କରି ଜାମିନ ନାମଞ୍ଜୁର କରିବା ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ଜେଲ୍‌ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ ବେହେରା ଓ ସୌମ୍ୟଙ୍କ ସ୍ତ୍ରୀଙ୍କ ସଂପୃକ୍ତି ନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ମାମଲାଟି ଦୀର୍ଘ ଦିନ ଧରି ଆଇନଗତ ପ୍ରକ୍ରିୟାରେ ରହିଥିଲା।

ଜାମିନ ବିହୀନ ୱାରେଣ୍ଟ ପରେ କୋର୍ଟରେ ହାଜର

ସମ୍ପ୍ରତି କୋର୍ଟ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (NBW) ଜାରି କରିଥିଲେ। ଏହାପରେ ପୁଲିସ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଶୁଣାଣି ପରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜାମିନ ନାମଞ୍ଜୁର ହେବା ପରେ ତତ୍କାଳୀନ ଡିଏଫ୍‌ଓ ଜେଲ୍‌ ଯିବା ଘଟଣା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି। ଏହି ସ୍ଥିତିରେ ମୃତ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳିବା ନେଇ ଆଶା ସଞ୍ଚାର ହୋଇଛି। ଏବେ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଏବଂ ଆଇନଗତ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି।