ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ଅନେକ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥିତ ଦୀଘା ନିକଟ ଦେଇ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୨:୩୦ ରୁ ୧:୩୦ ମଧ୍ୟରେ ଏହି ସିଷ୍ଟମ୍ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ କରିଛି।
ପାଣିପାଗ ବିଭାଗର ସର୍ବଶେଷ ବୁଲେଟିନ୍ ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦୀଘା ନିକଟରେ ଉପକୂଳ ଅତିକ୍ରମ କରିଛି। ସକାଳ ୫:୩୦ ସୁଦ୍ଧା ଏହାର କେନ୍ଦ୍ରବିନ୍ଦୁ ଉତ୍ତର ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଥିଲା। ଏହା ଦୀଘାରୁ ୩୦ କିମି ପଶ୍ଚିମ-ଉତ୍ତରପଶ୍ଚିମ, ବାଲେଶ୍ୱରରୁ ୩୦ କିମି ଉତ୍ତର-ପୂର୍ବ, ବାରିପଦାରୁ ୫୦ କିମି ପୂର୍ବ-ଦକ୍ଷିଣପୂର୍ବ, ଜାମସେଦପୁରରୁ ୧୬୦ କିମି ଦକ୍ଷିଣ-ପୂର୍ବ ଏବଂ କେନ୍ଦୁଝରଗଡ଼ରୁ ୧୭୦ କିମି ପୂର୍ବରେ କେନ୍ଦ୍ରୀଭୂତ ରହିଛି।
ଆଗାମୀ ୨୪ ଘଣ୍ଟା ପାଇଁ ପୂର୍ବାନୁମାନ
ଏହି ଗଭୀର ଅବପାତଟି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଏହିସବୁ ଅଞ୍ଚଳରେ ଆଗାମୀ ଦିନରେ ବ୍ୟାପକ ବର୍ଷା ଜାରି ରହିବ।
ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା, ସ୍କୁଲ୍ ବନ୍ଦ
ଏହି ସିଷ୍ଟମ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବିଶେଷକରି ବାଲେଶ୍ୱର ଜିଲ୍ଲାରେ ଗତ ୨୧ ଘଣ୍ଟା ମଧ୍ୟରେ ସର୍ବାଧିକ ୧୬୬.୫ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସାବଧାନତା ମୂଳକ ପଦକ୍ଷେପ ସ୍ୱରୂପ ଅନେକ ଜିଲ୍ଲାରେ ଆଜି ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ଜଳବନ୍ଦୀ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।




