ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏହି ମାମଲାରେ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ସିଏମଓରୁ ଫାଇଲ ଗାୟବ ହେବା ଘଟଣାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଫାଇଲ ଗ୍ରହଣ ସମୟରେ ଯେଉଁ ଅଧିକାରୀ ଦସ୍ତଖତ କରିଥିଲେ, ତାଙ୍କୁ ଚିହ୍ନଟ କରାସରିଛି। ବର୍ତ୍ତମାନ ସେହି ଫାଇଲ କାହା କାହା ପାଖକୁ ଯାଇଥିଲା ଏବଂ କେଉଁ କେଉଁ ସୋପାନ ଦେଇ ଗତି କରିଥିଲା, ସେନେଇ ଅନୁସନ୍ଧାନ ଓ ଖୋଳତାଡ଼ ଜାରି ରହିଛି। ଫାଇଲର ଯାତ୍ରା ପଥ ଓ ଶେଷ ହାତକୁ ଚିହ୍ନଟ କରିବା ପାଇଁ ପୋଲିସ ଏବଂ ତଦନ୍ତକାରୀ ଟିମ୍ ସୋପାନ ଅନୁସାରେ ଛାନଭିନ୍ କରୁଛନ୍ତି।

ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ସମ୍ବେଦନଶୀଳ ଘଟଣାରେ ଯେଉଁ ଅଧିକାରୀ କିମ୍ବା ବ୍ୟକ୍ତିଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ, ସେମାନଙ୍କୁ ଆଇନଗତ ତଦନ୍ତ ପରିସରଭୁକ୍ତ କରାଯିବ। ତଦନ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବାରୁ କୌଣସି ଦୋଷୀ ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ବି ଛାଡ଼ ଦିଆଯିବ ନାହିଁ।

ସୁରେଶ ପୂଜାରୀ ଙ୍କ କହିବା ମୁତାବକ“ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଓ ଆଇନ ଅନୁଯାୟୀ କରାଯାଉଛି। ଯେଉଁମାନେ ଏପର୍ଯ୍ୟନ୍ତ ତଦନ୍ତରେ ସହଯୋଗ କରିବାକୁ ଆସିନାହାନ୍ତି, ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଡକାଯିବ। ଆବଶ୍ୟକ ପଡ଼ିଲେ ବିଦେଶରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଜେରା ପାଇଁ ଅଣାଯିବ।”

ସିଏମଓ ଭଳି ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ କାର୍ଯ୍ୟାଳୟରୁ ଫାଇଲ ଗାୟବ ହେବା ପ୍ରସଙ୍ଗକୁ ସରକାର ଅତ୍ୟନ୍ତ ଗାମ୍ଭୀର୍ଯ୍ୟର ସହ ନେଇଛନ୍ତି। ସରକାରଙ୍କ ଏହି କଠୋର ଆଭିମୁଖ୍ୟରୁ ସ୍ପଷ୍ଟ ଯେ, ଆଗାମୀ ଦିନରେ ଏହି ମାମଲାରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆସିବା ସହ ବଡ଼ ତଥ୍ୟ ପଦାକୁ ଆସିପାରେ।