ଟୋକିଓ: ଜାପାନର ଦକ୍ଷିଣ କ୍ୟୁଶୁ ଅଞ୍ଚଳରେ ଥିବା କୁମାମୋଟୋ ପ୍ରିଫେକ୍ଚରରେ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାପରେ ଜାପାନ ପାଣିପାଗ ସଂସ୍ଥା (JMA) ଉପକୂଳ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରିଛି। ସମୁଦ୍ରରେ ପ୍ରାୟ ୧ ମିଟର (ପ୍ରାୟ ୩.୨୮ ଫୁଟ) ଉଚ୍ଚତାର ତରଙ୍ଗ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଉପକୂଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହେବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।
ଅନେକ ପ୍ରାନ୍ତରେ ହାଇ ଆଲର୍ଟ
ଭୂମିକମ୍ପ ପରେ ଜାପାନ ସରକାର କୁମାମୋଟୋ, ନାଗାସାକି, କାଗୋଶିମା, ଫୁକୁଓକା, ସାଗା, ଓଇଟା ଏବଂ ମିୟାଜାକି ପ୍ରାନ୍ତରେ ଜରୁରୀ ସତର୍କତା ଜାରି କରିଛନ୍ତି। ଭୂକମ୍ପର କମ୍ପନ ଏତେ ତୀବ୍ର ଥିଲା ଯେ ଅନେକ ସ୍ଥାନରେ ଲୋକମାନେ ଠିଆ ହୋଇ ରହିବାକୁ ଅସୁବିଧା ଅନୁଭବ କରିଥିଲେ। ବହୁ ଘର ଓ ଅଟ୍ଟାଳିକା ଜୋରରେ କମ୍ପିଥିବା ଖବର ମିଳିଛି।
ଉଦ୍ଧାର କାର୍ଯ୍ୟ ଜାରି
ଭୂମିକମ୍ପ ପରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଜାରି ରହିଛି। କୁମାମୋଟୋ ସହିତ ପଡ଼ୋଶୀ ନାଗାସାକି, କାଗୋଶିମା, ଫୁକୁଓକା, ସାଗା ଓ ମିୟାଜାକି ଅଞ୍ଚଳରେ ମଧ୍ୟ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଅନେକ ସ୍ଥାନରେ ରିକ୍ଟର ସ୍କେଲରେ ୫ କିମ୍ବା ତା’ଠାରୁ କମ୍ ତୀବ୍ରତାର କମ୍ପନ ରେକର୍ଡ କରାଯାଇଛି।
୧୦ କିଲୋମିଟର ଗଭୀରତାରେ ଥିଲା କେନ୍ଦ୍ରସ୍ଥଳ
ପ୍ରାଥମିକ ସୂଚନା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଉକି ସହର ନିକଟରେ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିଲା। ଏହି କାରଣରୁ କମ୍ପନର ପ୍ରଭାବ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା।
ବିଦ୍ୟୁତ୍ ସେବା ପ୍ରଭାବିତ
କ୍ୟୁଶୁ ଇଲେକ୍ଟ୍ରିକ୍ ପାୱାର କମ୍ପାନୀର ସୂଚନା ଅନୁଯାୟୀ, କୁମାମୋଟୋ ପ୍ରିଫେକ୍ଚରରେ ପ୍ରାୟ ୪୫,୬୦୦ ପରିବାର ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର ଏବଂ କ୍ଷୟକ୍ଷତିର ଆକଳନ ପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ କାର୍ଯ୍ୟ ଜାରି ରଖିଛନ୍ତି।
ଏପର୍ଯ୍ୟନ୍ତ ବ୍ୟାପକ ଜୀବନହାନି କିମ୍ବା ବଡ଼ କ୍ଷୟକ୍ଷତି ସମ୍ପର୍କରେ ସରକାରୀ ଭାବେ କୌଣସି ପୁଷ୍ଟିକୃତ ସୂଚନା ମିଳିନାହିଁ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ଲୋକମାନଙ୍କୁ ସରକାରୀ ସତର୍କବାଣୀ ପାଳନ କରିବାକୁ ଅନୁରୋଧ କରିଛନ୍ତି।




