କେନ୍ଦୁଝର: ଲଘୁଚାପଜନିତ ଲଗାତାର ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲିଠାରୁ ଅବିରତ ବର୍ଷା ଫଳରେ ନଦୀ ଓ ନାଳଗୁଡ଼ିକରେ ଜଳସ୍ତର ଦ୍ରୁତ ଭାବେ ବୃଦ୍ଧି ପାଇଥିବାବେଳେ ଅନେକ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ବହୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି।
ବୈତରଣୀ ନଦୀ ଏବଂ ମାଲଦା ନାଳରେ ଜଳସ୍ତର ବଢ଼ିବାରୁ ବ୍ଲକର ଫୁଲଝର ପଞ୍ଚାୟତର ଗମ୍ଭାରୀଡ଼ିହି, କେନ୍ଦୁଘାଟି ଏବଂ ତଳ କାଦକଳା ପଞ୍ଚାୟତର ହଳଡିହି ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛି। ଏହି ତିନୋଟି ଗାଁର ଶତାଧିକ ପରିବାର ଦୈନନ୍ଦିନ ଜୀବନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପୋଲ ଉପରେ ୫ ଫୁଟ ପାଣି, ଯୋଗାଯୋଗ ସମ୍ପୂର୍ଣ୍ଣ ଠପ
ଅଁରା ବ୍ରାହ୍ମଣୀ ନାଳ ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଅଁରା, ରାଇଗୋଡ଼ା, ଆମୁଣୀ, ବିନିଦା ସମେତ ୧୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପୋଲର ଦୁଇ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିବାରୁ ସାଧାରଣ ଯାତାୟାତ ଠପ ହୋଇପଡ଼ିଛି।
ସେହିପରି କଲଣ୍ଡାସ୍ଥିତ ଘାଗରା ନାଳ ପୋଲ ଉପରେ ମଧ୍ୟ ୫ ଫୁଟ ଉଚ୍ଚର ବନ୍ୟାଜଳ ବହୁଥିବାରୁ କଲଣ୍ଡା, ଜମ୍ଭୀରିପସି, ଭଗତପୁର, ବଡ଼ବିଲ ଓ ଚାନ୍ଦପଶି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହା ସହିତ ଦଅଁଳା-କସଡ଼ା ରାସ୍ତାର ସ୍ଥାନୀୟ ନାଳ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କସଡ଼ା, ରୁଗୁଡ଼ି କସଡ଼ା ଏବଂ ପରିଡା ଗୋଠ ଆଦି ଗାଁକୁ ଯାତାୟାତ ବନ୍ଦ ରହିଛି।
ନାଳରେ ଭାସିଗଲେ ଯୁବକ, ଅଳ୍ପକେ ବର୍ତ୍ତିଲେ
ଆଜି ସକାଳେ କସଡ଼ା ଗାଁର ଜଣେ ଯୁବକ ଶୁଆକାଟି ଲୌହଖଣିକୁ କାମ କରିବାକୁ ଯାଉଥିବା ବେଳେ ବନ୍ୟାଜଳ ଅତିକ୍ରମ କରୁଥିବା ସମୟରେ ନାଳରେ ଭାସିଯାଇଥିଲେ। ତେବେ ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ରେଡ୍ ୱାର୍ଣ୍ଣିଂ ଜାରି
ବାଂଶପାଳ ଅଞ୍ଚଳରେ ବର୍ଷା ଜାରି ରହିଥିବାବେଳେ ଭାରତୀୟ ପାଣିପାଗ ବିଭାଗ (IMD) କେନ୍ଦୁଝର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ସରକାରୀ ସୂଚନା ଅନୁଯାୟୀ, ବାଂଶପାଳରେ ସର୍ବାଧିକ ୫୭.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରଶାସନ ନଦୀ ଓ ନାଳ ନିକଟକୁ ନଯିବା ଏବଂ ବନ୍ୟାଜଳ ଥିବା ପୋଲ ଅତିକ୍ରମ ନକରିବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛି।




