କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ନାଲହାଟି ବ୍ଲକ୍‌ସ୍ଥିତ ଲଖନମାରା ଗ୍ରାମରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଗତ ମଙ୍ଗଳବାର ରାତିରେ ପୋଲିସ ଦ୍ୱାରା କରାଯାଇଥିବା ଏକ ରାତ୍ରିକାଳୀନ ଚଢ଼ାଉରେ ବିପୁଳ ପରିମାଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ଲଖନମାରା ଗ୍ରାମର ଏକ ଘରେ ବିପୁଳ ପରିମାଣର ବିସ୍ଫୋରକ ଗଚ୍ଛିତ ଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ପୋଲିସ ଏହି ଅଭିଯାନ ଆରମ୍ଭ କରିଥିଲା। ଘର ପଛପଟେ ଲୁଚାଇ ରଖାଯାଇଥିବା ସ୍ଥାନରୁ ପୋଲିସ ୮୦୦ କିଲୋଗ୍ରାମ୍ ଆମୋନିୟମ୍ ନାଇଟ୍ରେଟ୍, ୧୨,୪୦୦ ଟି ଜିଲେଟିନ୍ ଷ୍ଟିକ୍, ୧୦୫ ଟି ଡେଟୋନେଟର ଏବଂ ୩୬ ଟି ଡେଟୋନେଟିଂ ଫ୍ୟୁଜ୍ କଏଲ୍ ଜବତ କରିଛି। ଏହା ବ୍ୟତୀତ ବିସ୍ଫୋରକ ସହ ଜଡ଼ିତ ଅନେକ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଜବତ ବିସ୍ଫୋରକଗୁଡ଼ିକୁ ପରୀକ୍ଷା କରିବା ସହ ପ୍ରଶାସନ ନିଜ ହେପାଜତକୁ ନେଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ପକ୍ଷରୁ ସିଲ୍ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ଘରୁ ଏହି ବିସ୍ଫୋରକ ଜବତ ହୋଇଛି, ତାହା ନିକଟରେ ଭଡ଼ାରେ ଦିଆଯାଇଥିଲା। ବର୍ତ୍ତମାନ ଭଡ଼ାଟିଆ ଜଣକ ଫେରାର ଅଛନ୍ତି ଏବଂ ପୋଲିସ ତାଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏହାସହ ଘରମାଲିକଙ୍କୁ ମଧ୍ୟ ପୋଲିସ ପଚରାଉଚୁରା କରୁଛି।

ବେଆଇନ କାରବାର ନା କୌଣସି ବଡ଼ ଷଡ଼ଯନ୍ତ୍ର?

ନାଲହାଟି ଅଞ୍ଚଳଟି ଏକ ପାହାଡ଼ିଆ ଓ ପଥର ଖଣି ହବ୍ ଭାବେ ଜଣାଶୁଣା। ଏହି ବିସ୍ଫୋରକଗୁଡ଼ିକ ସ୍ଥାନୀୟ ପଥର ଖଣିରେ ବ୍ୟବହାର ପାଇଁ ରଖାଯାଇଥିଲା ନା ଏହା ପଛରେ କୌଣସି ବଡ଼ ଧରଣର ହିଂସାତ୍ମକ ଷଡ଼ଯନ୍ତ୍ର ଯୋଜନା ଥିଲା, ସେ ନେଇ ତଦନ୍ତକାରୀ ଅଫିସରମାନେ ଯାଞ୍ଚ ଚଳାଇଛନ୍ତି।

ଅପରାଧ ପ୍ରତି ‘ଜିରୋ ଟୋଲେରାନ୍ସ’ ନୀତି ଆପଣାଇ ବୀରଭୂମ ଜିଲ୍ଲା ପୋଲିସ ଏହି ବିସ୍ଫୋରକର ମୂଳ ଉତ୍ସ, ଯୋଗାଣ ନେଟୱାର୍କ ଏବଂ ସମ୍ଭାବ୍ୟ ବ୍ୟବହାର ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ମଧ୍ୟ ଏହି ନଲହାଟି ଅଞ୍ଚଳରୁ ୨୦ ବସ୍ତା ଆମୋନିୟମ୍ ନାଇଟ୍ରେଟ୍ ସହ ବିପୁଳ ବିସ୍ଫୋରକ ଜବତ କରି ଜଣଙ୍କୁ ଗିରଫ କରିଥିଲା।