ଇସଲାମାବାଦ: ପାକିସ୍ତାନ ଦଖଲପ୍ରାପ୍ତ କାଶ୍ମୀର (PoK)ରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ନାଗରିକଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବାହିନୀର ନିର୍ଦ୍ଦୟ ଗୁଳିଚାଳନା ଓ ଅତ୍ୟାଚାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ସମର୍ଥନ କରି ବିବାଦୀୟ ବ୍ୟାନ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ। ସେ ବିକ୍ଷୋଭକାରୀଙ୍କୁ “ଭାରତ ଭଳି ପାକିସ୍ତାନର ଶତ୍ରୁ” ବୋଲି ଆଖ୍ୟା ଦେଇଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆସିଫ୍ କହିଛନ୍ତି, “ମୁଁ ଏହି ବିକ୍ଷୋଭକାରୀଙ୍କୁ ଭାରତ ସମାନ ଶ୍ରେଣୀରେ ରଖୁଛି ଏବଂ ସେମାନଙ୍କୁ ଭାରତ ଭଳି ଶତ୍ରୁ ମନେକରୁଛି”। ଏହା ସହିତ ସେ ବିକ୍ଷୋଭକାରୀଙ୍କ ସହ କୌଣସି ଆଲୋଚନା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
‘ଜଏଣ୍ଟ ଆୱାମୀ ଆକ୍ସନ୍ କମିଟି’ (JAAC) ଦ୍ୱାରା ଆୟୋଜିତ ଏହି ଲଙ୍ଗ୍ ମାର୍ଚ୍ଚ ସମୟରେ ପାକିସ୍ତାନୀ ସୁରକ୍ଷା ବାହିନୀର ଗୁଳିଚାଳନାରେ ଏପର୍ଯ୍ୟନ୍ତ ଅନେକ ନିରୀହ ଲୋକ ପ୍ରାଣ ହରାଇସାରିଲେଣି। ମିରପୁର, ରାୱଲାକୋଟ୍, ଚୁରହୋଇ ଏବଂ ପାଲାନ୍ଦ୍ରୀ ଭଳି ଅଞ୍ଚଳରେ ପାକ୍ ସେନା ଏବଂ ପୋଲିସ ସାଧାରଣ ନାଗରିକଙ୍କ ଉପରେ ସୀଧାସଳଖ ଗୁଳି ଓ ଆଂଶୁ ଗ୍ୟାସ ପ୍ରୟୋଗ କରୁଥିବା ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।
JAAC ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି କୁହାଯାଇଛି ଯେ, “ପ୍ରତିଦିନ ସେନା ଗୁଳି ଚଳାଉଛି। ଆମେ ମୃତଦେହ ଉଠାଉଛୁ, କିନ୍ତୁ ଆଜି ସୃଷ୍ଟି କରାଯାଉଥିବା ଏହି ଘୃଣାକୁ ପାକିସ୍ତାନ ସହିପାରିବ ନାହିଁ”। ସେପଟେ ଅନେକ ମୃତଦେହ ରାସ୍ତାରେ ପଡ଼ିରହିଥିବା ଏବଂ କମ୍ପ୍ୟୁନିକେସନ୍ ବନ୍ଦ ଥିବାରୁ ସଠିକ୍ ତଥ୍ୟ ପାଇବାରେ ସମସ୍ୟା ହେଉଥିବା କୁହାଯାଇଛି।
କାହିଁକି ଜଳୁଛି PoK?
ମାନବାଧିକାର ଉଲ୍ଲଂଘନ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଏବଂ ଆଞ୍ଚଳିକ ବିଧାନସଭା ନିର୍ବାଚନରେ ସ୍ଥାନୀୟ ଲୋକଙ୍କ ଅଧିକାରକୁ ସଙ୍କୁଚିତ କରିବା ବିରୋଧରେ PoKର ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପ୍ରଶାସନ ସହ ସ୍ଥାନୀୟ ନେତାଙ୍କ ଆଲୋଚନା ବିଫଳ ହେବା ପରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହୋଇଛି। ପାକିସ୍ତାନ ସରକାର ଦମନଲୀଳା ଚଳାଇ ନିରୀହ ନାଗରିକଙ୍କ ଆୱାଜ୍ ଦବାଇବାକୁ ଚେଷ୍ଟା କରୁଥିବା ବେଳେ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ କଡ଼ା ନିନ୍ଦା କରାଯାଉଛି।




