ୱାଶିଂଟନ୍: ମଧ୍ୟପ୍ରାଚ୍ୟରେ ସାମରିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପୂର୍ବ ଇରାକରେ ଥିବା ଇରାନ୍ ସମର୍ଥିତ ସଶସ୍ତ୍ର ଗୋଷ୍ଠୀଗୁଡ଼ିକର ଆଡ୍ଡା ଉପରେ ଆମେରିକା ଏବଂ ସାଉଦୀ ଆରବ ମିଳିତ ଭାବେ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛନ୍ତି। ଆମେରିକୀୟ ସେନା ଏବଂ ସାଉଦୀର ଶକ୍ତି ଭିତ୍ତିଭୂମି ଉପରେ ୩୦ରୁ ଅଧିକ ଡ୍ରୋନ୍ ଆକ୍ରମଣ ହେବା ପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ସୂଚନା ଦେଇଛି।

ସେଣ୍ଟ୍ରାଲ୍ କମାଣ୍ଡ ଅନୁଯାୟୀ, ଇରାନର ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର’ (IRGC)ର ନିର୍ଦ୍ଦେଶରେ ଗତ ୭୨ ଘଣ୍ଟା ମଧ୍ୟରେ ଏହି ଡ୍ରୋନ୍ ଆକ୍ରମଣଗୁଡ଼ିକ ହୋଇଥିଲା। ଏହାର ଜବାବରେ ଆମେରିକା ଓ ସାଉଦୀର ଲଢ଼ୁଆ ବିମାନଗୁଡ଼ିକ ପୂର୍ବ ଇରାକରେ ଥିବା ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ର ଓ ଯୋଗାଣ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିଦେଇଛନ୍ତି।

ଏହି ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ IRGC ପକ୍ଷରୁ ଆମେରିକୀୟ ସେନା ଘାଟିକୁ ଲକ୍ଷ୍ୟ କରି କେତେକ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିଲା। ତେବେ ଆମେରିକାର ପ୍ରତିରକ୍ଷା ପ୍ରଣାଳୀ ଏହି ସମସ୍ତ ଇରାନୀ ମିସାଇଲ୍‌କୁ ଆକାଶରେ ହିଁ ସଫଳତାର ସହ ନଷ୍ଟ କରିଦେଇଛି।

ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ ୨୦୨୬ ଫେବ୍ରୁଆରୀରୁ ଏପ୍ରିଲ୍ ମଧ୍ୟରେ ଇରାକର ଇରାନ୍ ସମର୍ଥିତ ମିଲିସିଆ ସଂଗଠନଗୁଡ଼ିକ ଆମେରିକୀୟ ନାଗରିକ ଓ ସେନା ଉପରେ ୬୦୦ରୁ ଅଧିକ ଆକ୍ରମଣ ଉଦ୍ୟମ କରିଛନ୍ତି। ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଜଳଭାଗରେ ଆମେରିକା ନୌସେନାର ୨୦ରୁ ଅଧିକ ଯୁଦ୍ଧପୋତ ନିୟୋଜିତ ଅଛନ୍ତି। ଇରାନ୍ ବିରୋଧରେ ଆମେରିକାର ‘ଷ୍ଟିଲ୍ ୱାଲ୍’ ସାମୁଦ୍ରିକ ଅବରୋଧକୁ କଡ଼ାକଡ଼ି କରାଯାଇଛି। ଜୁଲାଇ ୨୮ ସୁଦ୍ଧା ୧୮ଟି ବାଣିଜ୍ୟିକ ଜାହାଜର ପଥ ପରିବର୍ତ୍ତନ କରାଯାଇଥିବା ବେଳେ ୨ଟିକୁ ଅଚଳ କରାଯାଇଛି। ଆକ୍ରମଣ ବନ୍ଦ ନକଲେ ଆଗାମୀ ଦିନରେ ଆହୁରି କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେରିକା ଚେତାବନୀ ଦେଇଛି।