କାଳିଆପାଣି: ଯାଜପୁର ଜିଲ୍ଲାର କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତରେ ଗୋଟିଏ ରାତିରେ ତିନିଜଣ ଆଦିବାସୀଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକ ଓ ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ଦୁଇ ଯୁବକଙ୍କ ପାଇଁ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ୧୦୮ ଆମ୍ବୁଲାନ୍ସ ସମୟରେ ମିଳିନଥିଲା। ଅନ୍ୟପଟେ ଜଣେ ମହିଳା ଅସୁସ୍ଥ ହେବା ପରେ ଆର୍ଥିକ ଅଭାବ ଯୋଗୁଁ ତାଙ୍କୁ ଚିକିତ୍ସାଳୟ ନେଇହେବା ସମ୍ଭବ ହୋଇନଥିବା ପରିବାର କହିଛି।

ମୃତକମାନେ ହେଲେ ଗିରିଙ୍ଗାମାଳି ଗାଁର ଅନାମ ସିର୍କା (୩୦), ଝରଣାସାହିର ମଟ ମୁଣ୍ଡା ଓରଫ ଲିପୁନ (୨୧) ଏବଂ ଗୁରୁବାରୀ ବିରୁଆ (୫୫)

‘ଆମ୍ବୁଲାନ୍ସ ମିଳିଲାନି’ ବୋଲି ପରିବାରର ଅଭିଯୋଗ

ଅନାମ ସିର୍କାଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ ହଠାତ୍ ରକ୍ତବାନ୍ତି କରି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅପରାହ୍ନରୁ ବାରମ୍ବାର ୧୦୮ ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଉପଲବ୍ଧ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଅନ୍ୟ ଯାନବାହନର ବ୍ୟବସ୍ଥା ମଧ୍ୟ ତୁରନ୍ତ ହୋଇପାରିନଥିଲା। ପରେ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ଲିପୁନ ମୁଣ୍ଡା ଜ୍ୱରରେ ପୀଡ଼ିତ ଥିବାବେଳେ ଏକ ଘରୋଇ କ୍ଲିନିକରେ ପରୀକ୍ଷା ପରେ ତାଙ୍କୁ ମ୍ୟାଲେରିଆ ଓ ଟାଇଫଏଡ୍ ହୋଇଥିବା ଜଣାପଡ଼ିଥିଲା ବୋଲି ପରିବାର କହିଛି। ପରେ ଅବସ୍ଥା ଗୁରୁତର ହେବାରୁ ପରିବାର ପକ୍ଷରୁ ଆମ୍ବୁଲାନ୍ସ ପାଇଁ ଅନେକ ଥର ଫୋନ୍ କରାଯାଇଥିଲେ ମଧ୍ୟ ସେବା ମିଳିନଥିବା ଅଭିଯୋଗ ହୋଇଛି। ଶେଷରେ ଏକ ଭଡ଼ା ଗାଡ଼ିରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅସୁସ୍ଥ ହେବା ପରେ ମହିଳାଙ୍କ ମୃତ୍ୟୁ

ଝରଣାସାହିର ଗୁରୁବାରୀ ବିରୁଆ ଦିନସାରା କ୍ଷେତରେ କାମ କରି ଘରକୁ ଫେରିଥିଲେ। ରାତିରେ ସେ ହଠାତ୍ ବାନ୍ତି କରି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ, ଆର୍ଥିକ ଅସୁବିଧା ଯୋଗୁଁ ସେ ତୁରନ୍ତ ହସ୍ପିଟାଲକୁ ନେଇପାରିନଥିଲେ। ପରଦିନ ସକାଳେ ସେ ମୃତ ଅବସ୍ଥାରେ ମିଳିଥିଲେ।

ପୁଲିସର ତଦନ୍ତ ଆରମ୍ଭ

କାଳିଆପାଣି ପୁଲିସ ମୃତଦେହଗୁଡ଼ିକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

ନ୍ୟାୟିକ ତଦନ୍ତ ଦାବି

ଏକ ରାତିରେ ତିନିଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଜନପ୍ରତିନିଧିମାନେ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସମିତି ସଭ୍ୟ ସମ୍ବରା ମୁଣ୍ଡା ଓ ସରପଞ୍ଚ ସଞ୍ଜୟ କୁମାର ପରିଡ଼ା ଘଟଣାର ନ୍ୟାୟିକ ତଦନ୍ତ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।