ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ଏବଂ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଦେଶରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ବିଜେପି ନେତାଙ୍କ ପରିବାରର ଜଣେ ସଦସ୍ୟଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତର ପ୍ରଦେଶର ବିଜେପିର ପୂର୍ବତନ ବିଧାୟକ ବିକ୍ରମ ସିଂହଙ୍କ ଝିଅ ଏବଂ କଣ୍ଟେଣ୍ଟ କ୍ରିଏଟର ଯଶସ୍ୱିନୀ ରାଜେ ସିଂହ ଛାତ୍ର ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇବା ସହ ନୂଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ନେଇ ସମାଲୋଚନା କରିଛନ୍ତି।

ଯଶସ୍ୱିନୀ କହିଛନ୍ତି ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିବା ପ୍ରଶ୍ନର ସନ୍ତୋଷଜନକ ସମାଧାନ ଆବଶ୍ୟକ। ତାଙ୍କ ମତରେ, ଏଭଳି ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ପୁନଃସ୍ଥାପନ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ।

ସେ କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ହୋଇଥିବା ଛାତ୍ର ପ୍ରତିବାଦକୁ ସମର୍ଥନ କରିଥିବା ବେଳେ, ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରବର୍ତ୍ତୀ ପରିସ୍ଥିତି ଉପରେ ମଧ୍ୟ ମତ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ହୋଇଥିଲା। ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଥିବା ଏହି ଧାରଣା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶେଷ ହୋଇଥିଲା।

ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଯଶସ୍ୱିନୀ ରାଜେ ସିଂହ କହିଛନ୍ତି ଯେ, ଛାତ୍ରମାନଙ୍କ ଉଠାଇଥିବା ପ୍ରଶ୍ନକୁ ଗୁରୁତ୍ୱର ସହ ବିଚାର କରାଯିବା ଉଚିତ ଏବଂ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବା ଆବଶ୍ୟକ। ସେ ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପତ୍ରରେ ବ୍ୟବହୃତ ଭାଷାକୁ ନେଇ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ଶିକ୍ଷା ନୀତି, ପରୀକ୍ଷା ବ୍ୟବସ୍ଥା ଏବଂ ଛାତ୍ର ଆନ୍ଦୋଳନକୁ କେନ୍ଦ୍ର କରି ରାଜନୈତିକ ଚର୍ଚ୍ଚା ଜାରି ରହିଛି।