ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ତାଙ୍କ ପତ୍ନୀ ପାୟଲଙ୍କ ମଧ୍ୟରେ ଦୀର୍ଘ ୧୭ ବର୍ଷ ଧରି ଚାଲିଆସୁଥିବା ବ୍ୟକ୍ତିଗତ ବିବାଦର ଶେଷ ହୋଇଛି। ଆପୋଷ ବୁଝାମଣା ଆଧାରରେ ଉଭୟଙ୍କ ବିବାହ ବିଚ୍ଛେଦ (ତଲାକ୍) ନିବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏହି ମାମଲାର ଅନ୍ତ ଘଟାଇଛନ୍ତି।
ସମ୍ବିଧାନର ଧାରା ୧୪୨ ବ୍ୟବହାର
ଜଷ୍ଟିସ୍ ପି.ଏସ୍. ନରସିଂହା ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ନେଇ ଗଠିତ ପୀଠ ସମ୍ମୁଖରେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଜଣାଇଥିଲେ ଯେ, ଉଭୟ ପକ୍ଷ ଆପୋଷ ସମ୍ମତିକ୍ରମେ ସମସ୍ତ ମାମଲା ପ୍ରତ୍ୟାହାର କରିନେଇଛନ୍ତି। ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା ବିଶେଷ କ୍ଷମତାର ପ୍ରୟୋଗ କରି ସର୍ବୋଚ୍ଚ ଅଦାଲତ ଏହି ‘ଅସଫଳ ବିବାହ’କୁ ଆଇନଗତ ଭାବେ ସମାପ୍ତ କରିଛନ୍ତି।
୧୯୯୪ ମସିହାରେ ଓମାର ଏବଂ ପାୟଲ ବିବାହ କରିଥିଲେ। ସେମାନଙ୍କର ଜାହିର ଓ ଜମିର ନାମରେ ଦୁଇଟି ପୁଅ ଅଛନ୍ତି। ୨୦୦୯ରୁ ଉଭୟ ଅଲଗା ରହୁଥିବା ବେଳେ ୨୦୧୧ରେ ସେମାନଙ୍କର ବିଚ୍ଛେଦ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ମିଳିଥିଲା। ପୂର୍ବରୁ ଓମାରଙ୍କ ଦ୍ୱାରା ଦାୟର କରାଯାଇଥିବା ତଲାକ୍ ଆବେଦନକୁ ୨୦୧୬ରେ ଫ୍ୟାମିଲି କୋର୍ଟ ଏବଂ ୨୦୨୩ରେ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। ଏଥିସହ ହାଇକୋର୍ଟ ଓମାରଙ୍କୁ ମାସିକ ଖୋରାକି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏବେ ଉଭୟ ପକ୍ଷ ସମସ୍ତ ପୁରୁଣା ମାମଲା ପ୍ରତ୍ୟାହାର କରିନେବା ସହ ଆପୋଷ ବୁଝାମଣାରେ ପହଞ୍ଚିବା ପରେ ସୁପ୍ରିମକୋର୍ଟ ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରି ଦୀର୍ଘ ଦିନର ଏହି ବ୍ୟକ୍ତିଗତ ମାମଲାର ଯବନିକା ଟାଣିଛନ୍ତି।




