ସମ୍ବଲପୁର: ଅଗଷ୍ଟ ପହିଲାରେ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ଅସ୍ମିତାର ପର୍ବ ‘ସମ୍ବଲପୁରୀ ଦିନ’ ଅତି ଧୂମଧାମରେ ପାଳିତ ହୋଇଯାଇଛି। ଗୁରୁ ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଜୟନ୍ତୀ ଅବସରରେ ପାଳନ ହେଉଥିବା ଏହି ବିଶେଷ ଦିବସଟି ଚଳିତ ବର୍ଷ ସମ୍ବଲପୁରରେ ରାଜ୍ୟସ୍ତରୀୟ ଭାବେ ସଫଳତାର ସହ ୧୪ ବର୍ଷ ପୂରଣ କରିଛି।

ଦୀର୍ଘ ୧୪ ବର୍ଷ ତଳେ ଅତି ଛୋଟ ଆକାରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଓ ଉତ୍ସବ, ଆଜି କାଳକ୍ରମେ ଏକ ବିରାଟ ଗଣପର୍ବର ରୂପ ନେଇସାରିଛି। କେବଳ ସମ୍ବଲପୁର ନୁହେଁ, ବରଂ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଏବେ ଏହି ଦିବସ ବ୍ୟାପକ ଆକାରରେ ପାଳନ କରାଯାଉଛି।

ସମ୍ବଲପୁର ସହରରେ ‘ପଶ୍ଚିମାଞ୍ଚଳ ଏକତା ମଞ୍ଚ’ ଏବଂ ‘ସମ୍ବଲପୁରୀ ଏକତା ମଞ୍ଚ’ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ସହରର ଗଳିକନ୍ଦିରୁ ଆରମ୍ଭ କରି ବଡ଼ ବଡ଼ ଛକଗୁଡ଼ିକରେ ଢୋଲ, ନିଶାନ ଓ ମାଦଲର ତାଳେ ତାଳେ ଲୋକେ ସମ୍ବଲପୁରୀ ପୋଷାକ ପରିଧାନ କରି ନୃତ୍ୟର ମଜା ନେଇଛନ୍ତି।

ସେହିପରି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଶିଳ୍ପାଞ୍ଚଳ ହିରାକୁଦ ଏବଂ ଶିକ୍ଷା ନଗରୀ ବୁର୍ଲାରେ ମଧ୍ୟ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଏହି ଦିବସକୁ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ସମ୍ବଲପୁରୀ ବନ୍ଧକଳାର ପ୍ରଚାର ପ୍ରସାର, ପାରମ୍ପରିକ ଖାଦ୍ୟପେୟର ସମ୍ବର୍ଦ୍ଧନା ଏବଂ ସମ୍ବଲପୁରୀ ଭାଷାର ସୁରକ୍ଷା ପାଇଁ ଏହି ଅବସରରେ ଶପଥ ନିଆଯାଇଛି। ଗୋଟିଏ ସାଧାରଣ ଆଞ୍ଚଳିକ ପର୍ବରୁ ଆରମ୍ଭ ହୋଇ ଆଜି ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।