ଅହମ୍ମଦାବାଦ/ଜାମନଗର: ଗୁଜରାଟର ଜାମନଗରରେ ସାମ୍ନାକୁ ଆସିଛି ସିନେମା ‘ଦୃଶ୍ୟମ୍’ ଷ୍ଟାଇଲ୍‌ର ଏକ ସିହରଣ ସୃଷ୍ଟି କଲା ଭଳି ହତ୍ୟାକାଣ୍ଡ। ସ୍ୱାମୀ ଚାକିରି ପାଇଁ ଅଷ୍ଟ୍ରେଲିଆ ଯାଇଥିବା କହି ସ୍ତ୍ରୀ ଦୀର୍ଘ ଦୁଇ ବର୍ଷ ଧରି ସମସ୍ତଙ୍କୁ ଅନ୍ଧାରରେ ରଖିଥିଲା। ମାତ୍ର ସତ କୌଣସି ବିଦେଶୀ ମାଟିରେ ନୁହେଁ, ବରଂ ଏକ ଇଣ୍ଡଷ୍ଟ୍ରିଆଲ୍ ସେଡ୍‌ର ଏକ ଫୁଟ୍ ବହଳିଆ କଂକ୍ରିଟ୍ ଚଟାଣ ତଳେ ପୋତା ହୋଇ ରହିଥିଲା।

ପୋଲିସର ସୂଚନା ଅନୁଯାୟୀ, ମୃତ ଯୁବକ ଜିଗ୍ନେଶ ମାଭାଡିଆଙ୍କୁ ତାଙ୍କ ସ୍ତ୍ରୀ ପୃଥ୍ୱୀ ଓରଫ ଭୂମିବେନ୍, ନିଜ ପ୍ରେମିକ ନିଲେଶ କାଛଡ଼ିଆ ଏବଂ ପ୍ରେମିକର ସାଙ୍ଗ ବଲବୀର ବର୍ମାଙ୍କ ସହ ମିଶି ନିର୍ମମ ଭାବେ ହତ୍ୟା କରିଥିଲେ। ୨୦୨୪ ମେ’ ୩୧ ତାରିଖରେ ମଦ ପାର୍ଟି କରିବା ବାହାନାରେ ଜିଗ୍ନେଶଙ୍କୁ ଡାକି ସେମାନେ ସାଇନାଇଡ୍ ମିଶ୍ରିତ ମଦ ପିଆଇ ଦେଇଥିଲେ। ଜିଗ୍ନେଶଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ଏକ ଇଣ୍ଡଷ୍ଟ୍ରିଆଲ୍ ସେଡ୍ ଭିତରେ ୧୨ ଫୁଟ୍ ଗାତ ଖୋଳି ପୋତି ଦିଆଯାଇଥିଲା ଏବଂ ତା’ ଉପରେ ଏକ ଫୁଟ୍ ବହଳର କଂକ୍ରିଟ୍ ଚଟାଣ ଢଳାଇ କରିଦିଆଯାଇଥିଲା।

ଏହାପରେ ସ୍ତ୍ରୀ ସମସ୍ତଙ୍କୁ କହିଥିଲା ଯେ ଜିଗ୍ନେଶ କାମ ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି। ଦୀର୍ଘ ଦିନ ଧରି ଫୋନ୍ ଲାଗୁ ନଥିବାରୁ ପରିବାର ଲୋକେ ଏହାକୁ ସତ ଭାବି ନେଇଥିଲେ। ତେବେ ଜଣେ ସମ୍ପର୍କୀୟ ଭାଇ ଅଷ୍ଟ୍ରେଲିଆ ଯିବା ପାଇଁ ଯୋଜନା କରି ଜିଗ୍ନେଶଙ୍କ ଠିକଣା ମାଗିବା ପରେ ପୃଥ୍ୱୀଙ୍କ ମିଛ ଧରାପଡ଼ିଥିଲା। ପୃଥ୍ୱୀ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ସନ୍ଦେହ ବଢ଼ିଥିଲା ଏବଂ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ।

ପୋଲିସ ଘଟଣାର ତଦନ୍ତ କରି ଜୁଲାଇ ୩୦ ତାରିଖରେ ଡ୍ରିଲିଂ ମେସିନ୍ ସାହାଯ୍ୟରେ କଂକ୍ରିଟ୍ ଚଟାଣ କାଟି ୧୨ ଫୁଟ୍ ତଳୁ କଙ୍କାଳ ଜବତ କରିଥିଲା। ହତ୍ୟା ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ପୋଲିସ ସ୍ତ୍ରୀ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶବର ପରିଚୟ ସ୍ପଷ୍ଟ କରିବା ପାଇଁ ଫୋରେନ୍ସିକ୍ ଟିମ୍ ଡିଏନ୍‌ଏ ପରୀକ୍ଷା ଆରମ୍ଭ କରିଛି।