୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା
ଶ୍ରୀନଗର/କୁଲଗାମ: ଜମ୍ମୁ-କାଶ୍ମୀରର ଦକ୍ଷିଣ କାଶ୍ମୀରସ୍ଥିତ କୁଲଗାମ ଜିଲ୍ଲାର କେଲାମ (Kilam) ଅଞ୍ଚଳରେ ଏକ ଦୁଃଖଦ ଓ ସିହରଣ ସୃଷ୍ଟି କଲା ଭଳି ଆତଙ୍କବାଦୀ ଆକ୍ରମଣ ଘଟିଛି। କେଲାମ ଅଞ୍ଚଳରେ ଥିବା ଏକ ଇଟା ଭାଟିରେ କାର୍ଯ୍ୟ କରୁଥିବା ଅଣ-ସ୍ଥାନୀୟ ବାହାର ରାଜ୍ୟର ଶ୍ରମିକମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ଅନ୍ଧାଧୁନ୍ଧ ଗୁଳିଚାଳନା କରିଥିଲେ। ଏହି କାପୁରୁଷୋଚିତ ଆକ୍ରମଣରେ ଛତିଶଗଡ଼ର ଦୁଇ ଜଣ ନିରୀହ ଶ୍ରମିକ ପ୍ରାଣ ହରାଇଛନ୍ତି।
ଆକ୍ରମଣ ଓ ଘଟଣାବଳୀ
ଜୁଲାଇ ୩୧ ତାରିଖ ସନ୍ଧ୍ୟା ପରେ ସୂର୍ଯ୍ୟାସ୍ତ ହେବା କ୍ଷଣି ସନ୍ଦିଗ୍ଧ ଆତଙ୍କବାଦୀମାନେ ଇଟା ଭାଟି ନିକଟରେ ପହଞ୍ଚି ଶ୍ରମିକମାନଙ୍କ ଉପରକୁ ହଠାତ୍ ଗୁଳି ବର୍ଷଣ କରିବା ସହ ଅନ୍ଧାରର ଫାଇଦା ଉଠାଇ ଫେରାର୍ ହୋଇଯାଇଥିଲେ। ମୃତକ ଦ୍ୱୟ ଛତିଶଗଡ଼ର ଦୀପକ ରଥ୍ରେ ଏବଂ ଭୂପେନ୍ଦ୍ର ବୋଲି ଚିହ୍ନଟ କରାଯାଇଛି, ଯେଉଁମାନଙ୍କ ବୟସ 20ରୁ 27 ବର୍ଷ ମଧ୍ୟରେ।
ଦୀପକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ, ଗୁରୁତର ଆହାତପ୍ରାପ୍ତ ଭୂପେନ୍ଦ୍ରଙ୍କୁ ପ୍ରଥମେ ଆନନ୍ତନାଗ ସରକାରୀ ମେଡିକାଲ କଲେଜ ଏବଂ ପରେ ଶ୍ରୀନଗରସ୍ଥିତ SKIMS ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେ ମଧ୍ୟ ପ୍ରାଣ ହରାଇଥିଲେ।
ମୁଖ୍ୟମନ୍ତ୍ରୀ ଓ ଉପ-ରାଜ୍ୟପାଳଙ୍କ ଶୋକ, କ୍ଷତିପୂରଣ ଘୋଷଣା
ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି କାପୁରୁଷୋଚିତ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଗଭୀର ଶୋକପ୍ରକାଶ କରିଛନ୍ତି। ମୃତକ ଦ୍ୱୟଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୦-୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୂର୍ବରୁ ଘୋଷିତ ୬ ଲକ୍ଷ ଟଙ୍କାର ସହାୟତା ବ୍ୟତୀତ ଏହି ଅର୍ଥରାଶି ମିଳିବ।
ଅନ୍ୟପଟେ, ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଉପ-ରାଜ୍ୟପାଳ ପୋଲିସ ମହାନିର୍ଦ୍ଦେଶକ ନଲିନ୍ ପ୍ରଭାତଙ୍କ ସହ କଥା ହୋଇ ଆତଙ୍କବାଦୀମାନଙ୍କୁ କଠୋର ଜବାବ ଦେବାକୁ ଏବଂ ସେମାନଙ୍କୁ ଖୋଜି ବାହାର କରି ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆକ୍ରମଣ ପରେ ସୁରକ୍ଷା ବାହିନୀ ସମଗ୍ର କୁଲଗାମ ଓ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଚାଲିଥିବା ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି ସମଗ୍ର ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।




