ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୪୫ତମ କ୍ୟାବିନେଟ୍ ବୈଠକରେ ୬ଟି ବିଭାଗ ସମ୍ପର୍କିତ ମୋଟ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିସ୍ତୃତ ଆଲୋଚନା ପରେ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ଓ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
ମଞ୍ଜୁରୀ ପାଇଥିବା ପ୍ରସ୍ତାବ ମଧ୍ୟରେ ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ଟି ଏବଂ ଜଳସମ୍ପଦ ବିଭାଗର ସର୍ବାଧିକ ୫ଟି ପ୍ରସ୍ତାବ ସାମିଲ ରହିଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କ୍ୟାବିନେଟ୍ରେ ଅନୁମୋଦିତ ଏହି ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରିତା ମାଧ୍ୟମରେ ସମ୍ପୃକ୍ତ ବିଭାଗଗୁଡ଼ିକର ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହ ଲୋକସେବା ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। କ୍ୟାବିନେଟ୍ର ପ୍ରତ୍ୟେକ ନିଷ୍ପତ୍ତିର ବିସ୍ତୃତ ବିବରଣୀ ସମ୍ପୃକ୍ତ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ପ୍ରକାଶ କରାଯିବ।




