ଜାକର୍ତ୍ତା: ଇଣ୍ଡୋନେସିଆର ମାଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଫେରିରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି। ଘଟଣା ପରେ ବ୍ୟାପକ ସନ୍ଧାନ ଓ ଉଦ୍ଧାର ଅଭିଯାନ ଜାରି ରହିଛି ବୋଲି ଦେଶର ସନ୍ଧାନ ଓ ଉଦ୍ଧାର ଏଜେନ୍ସି ସୂଚନା ଦେଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଫେରିରେ ମୋଟ ୨୭୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଯାତ୍ରା କରୁଥିଲେ। ସନ୍ଧାନକାରୀ ଦଳ ଏପର୍ଯ୍ୟନ୍ତ ୨୨୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଅନ୍ୟ ୪୧ ଜଣଙ୍କ ସନ୍ଧାନ ଜାରି ରହିଛି। ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ସମୁଦ୍ର ଓ ଆକାଶମାର୍ଗରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଅଧିକାରୀଙ୍କ କହିବା ଅନୁସାରେ, ଫେରିଟି ପୂର୍ବ ଜାଭାର ସୁରାବାୟାରୁ ଦକ୍ଷିଣ ସୁଲାୱେସିର ମାକାସାର ସହର ଅଭିମୁଖେ ଯାଉଥିବା ସମୟରେ ରବିବାର ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ ଆରମ୍ଭ କରାଯାଇଛି।

ମାଦୁରା ଦ୍ୱୀପ ଜାଭାର ଉତ୍ତର-ପୂର୍ବ ଉପକୂଳରେ ଅବସ୍ଥିତ। ଘଟଣା ପରେ ସ୍ଥାନୀୟ ପ୍ରଶାସନ, ନୌସେନା ଓ ସନ୍ଧାନକାରୀ ସଂସ୍ଥାମାନେ ମିଳିତ ଭାବେ ଉଦ୍ଧାର ଅଭିଯାନକୁ ଜୋରଦାର କରିଛନ୍ତି। ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ମିଳିବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।