ୱାଶିଂଟନ୍: ୧୯୬୦ ମସିହାରେ ସଦ୍ଭାବନା ଓ ବନ୍ଧୁତାର ପ୍ରତୀକ ଭାବେ ସ୍ୱାକ୍ଷରିତ ହୋଇଥିବା ସିନ୍ଧୁ ଜଳ ଚୁକ୍ତି (IWT) କୁ ପାକିସ୍ତାନ ନିଜ ଆଚରଣ ଓ ବିଶ୍ୱାସଘାତକତା ଯୋଗୁଁ ନିଜେ ହିଁ ଧ୍ୱଂସ କରିଦେଇଛି। ଆମେରିକାରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ତଥା ପୂର୍ବତନ ବିଦେଶ ସଚିବ ବିନୟ କ୍ୱାତ୍ରା ଏକ ଆନ୍ତର୍ଜାତୀୟ ପତ୍ରିକା ‘ନ୍ୟୁଜୱିକ୍’ ରେ ପ୍ରକାଶିତ ନିଜର ଏକ ଲେଖାରେ ଏହା ପ୍ରକାଶ କରିଛନ୍ତି।
ସେ ଲେଖିଛନ୍ତି ଯେ, ୧୯୬୦ ମସିହାରେ ହୋଇଥିବା ଏହି ଚୁକ୍ତି ଅନୁସାରେ ଭାରତକୁ ପୂର୍ବପଟର ତିନୋଟି ନଦୀର ନିୟନ୍ତ୍ରଣ ମିଳିଥିଲା, ଯାହା ମୋଟ ଜଳରାଶିର ମାତ୍ର ୨୦ ପ୍ରତିଶତ। ଅପରପକ୍ଷରେ, ପାକିସ୍ତାନକୁ ପଶ୍ଚିମପଟର ତିନୋଟି ନଦୀର ୮୦ ପ୍ରତିଶତ ଜଳରାଶି ମିଳିଥିଲା। ଏହି ଅସମାନତା ସତ୍ତ୍ୱେ ଭାରତ ଦୀର୍ଘ ଦଶନ୍ଧି ଧରି ଚୁକ୍ତିର ସମ୍ମାନ ରଖି ଆସିଥିଲା। କିନ୍ତୁ ଗତବର୍ଷ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନିଜର ସାର୍ବଭୌମ ଅଧିକାର ପ୍ରୟୋଗ କରି ଏହି ଚୁକ୍ତିକୁ ସ୍ଥଗିତ ରଖିଛି। ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନକରିଛି, ସେପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ।
କ୍ୱାତ୍ରା ଦର୍ଶାଇଛନ୍ତି ଯେ, ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ପାକିସ୍ତାନର ଆଚରଣ କେବଳ ଯୁଦ୍ଧ, ଶତ୍ରୁତା ଓ ଆତଙ୍କବାଦରେ ପରିପୂର୍ଣ୍ଣ ରହିଛି। ଭାରତୀୟ ସଂସଦ ଆକ୍ରମଣ, ମୁମ୍ବାଇ terror attack, ଉରୀ, ପଠାନକୋଟ୍ ଓ ପହଲଗାମ ଆକ୍ରମଣ ଭଳି ଘଟଣାରେ ୪୦,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟ ପ୍ରାଣ ହରାଇଛନ୍ତି। ଏହାସହ ତୁଲବୁଲ୍ ନୌପରିବହନ ପ୍ରକଳ୍ପ ଭଳି ଭାରତର ବିକାଶମୂଳକ ଓ ଜଳବିଦ୍ୟୁତ୍ ଯୋଜନାଗୁଡ଼ିକୁ ପାକିସ୍ତାନ ଲଗାତାର ବାଧାପ୍ରାପ୍ତ କରିଆସିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ପଷ୍ଟ ଆଭିମୁଖ୍ୟକୁ ଉଦ୍ଧୃତ କରି ସେ କହିଛନ୍ତି— “ଆତଙ୍କ ଓ ଆଲୋଚନା ଏକାଠି ହୋଇପାରିବ ନାହିଁ, ଆତଙ୍କ ଓ ବାଣିଜ୍ୟ ଏକାଠି ଚାଲିପାରିବ ନାହିଁ ଏବଂ ରକ୍ତ ଓ ପାଣି ଏକାଠି ବହିପାରିବ ନାହିଁ।”
ପାକିସ୍ତାନରେ ସୃଷ୍ଟି ହୋଇଥିବା ଜଳସଙ୍କଟ ଭାରତ ଯୋଗୁଁ ନୁହେଁ, ବରଂ ନିଜ ସରକାରଙ୍କ କୁପରିଚାଳନାର ଫଳାଫଳ। ତେଣୁ ନିଜର ଆଭ୍ୟନ୍ତରୀଣ ବିଫଳତା ପାଇଁ ଭାରତକୁ ଦୋଷ ନଦେଇ, ପାକିସ୍ତାନ ପ୍ରଥମେ ନିଜ ମାଟିରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରୁ ବୋଲି ସେ ଦାବି କରିଛନ୍ତି।




