ଚେନ୍ନାଇ: କାବେରୀ ନଦୀର ଜଳ ବଣ୍ଟନକୁ ନେଇ ପୁଣି ଥରେ ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଜଳସେଚନ ପାଇଁ ପର୍ଯ୍ୟାପ୍ତ ପାଣି ମିଳୁନଥିବା ଅଭିଯୋଗରେ ତାମିଲନାଡୁର ତିରୁଚିରାପାଲିରେ ଚାଷୀମାନେ କାବେରୀ ନଦୀକୂଳର ବାଲିରେ ନିଜକୁ ପୋତି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି।
ଚାଷୀ ସଂଘର ନେତା ଆୟା କନ୍ନୁଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦରେ କୁରୁଭଇ ଧାନ ଚାଷ ପାଇଁ ତୁରନ୍ତ କାବେରୀ ଜଳ ଛାଡ଼ିବାକୁ ଦାବି କରାଯାଇଛି। ଚାଷୀମାନଙ୍କ ଅଭିଯୋଗ, ମେଟୁର ଡ୍ୟାମ୍ ଖୋଲିବାରେ ବିଳମ୍ବ ହେବା ସହ କର୍ଣ୍ଣାଟକ ନିର୍ଦ୍ଧାରିତ ପରିମାଣର ପାଣି ଛାଡ଼ୁନଥିବାରୁ ଚାଷ ଗୁରୁତର ଭାବେ ପ୍ରଭାବିତ ହେଉଛି।
ପ୍ରତିବାଦକାରୀମାନେ କହିଛନ୍ତି, କାବେରୀ ଜଳ ନିୟନ୍ତ୍ରଣ କମିଟି ଓ କାବେରୀ ଜଳ ପରିଚାଳନା ପ୍ରାଧିକରଣଙ୍କ ନିର୍ଦ୍ଦେଶ ସତ୍ତ୍ୱେ କର୍ଣ୍ଣାଟକ ଆବଶ୍ୟକ ପରିମାଣର ପାଣି ଛାଡ଼ିନାହିଁ। ଫଳରେ କୁରୁଭଇ ଧାନ ଫସଲ ଶୁଖିଯିବା ଆଶଙ୍କା ସୃଷ୍ଟି ହୋଇଛି। ପାଣି ପାଇଁ ବାରମ୍ବାର ନିବେଦନ କରିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ଏପରି ପ୍ରତିବାଦ କରିବାକୁ ବାଧ୍ୟ ହୋଇଥିବା ସେମାନେ କହିଛନ୍ତି।
ଚାଷୀମାନେ କର୍ଣ୍ଣାଟକ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିବା ସହ ପ୍ରସ୍ତାବିତ ମେକେଡାଟୁ ଡ୍ୟାମ୍ ପ୍ରକଳ୍ପକୁ ମଧ୍ୟ ବିରୋଧ କରିଛନ୍ତି। ସେମାନଙ୍କ ମତରେ, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତାମିଲନାଡୁର ଜଳ ସଙ୍କଟ ଆହୁରି ଗଭୀର ହେବ।
ଅନ୍ୟପଟେ, କାବେରୀ ଜଳ ବିବାଦକୁ ନେଇ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ରାଜନେତା, ଆଇନ ବିଶେଷଜ୍ଞ ଓ ଅଧିକାରୀମାନେ ଯୋଗଦେଇ ସ୍ଥିତିର ସମୀକ୍ଷା କରିଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀ ଶିବକୁମାର କହିଥିଲେ, କାବେରୀ ଜଳ ବିବାଦ ନୂଆ ନୁହେଁ; ଏହା ଦୀର୍ଘ ଦିନର ସମସ୍ୟା। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତିଠାରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟର ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ସର୍ବାଗ୍ରେ ରଖି ସମାଧାନର ବାଟ ଖୋଜିବା ଆବଶ୍ୟକ।




