ନୂଆଦିଲ୍ଲୀ: ସୂନ୍ୟକାଳ ସମୟରେ ବିରୋଧୀ ସାଂସଦଙ୍କ ପ୍ରବଳ ହଙ୍ଗାମା ଓ ନାରାବାଜି ଯୋଗୁଁ ସୋମବାର ରାଜ୍ୟସଭା ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବି କରି ହୋହାଲ୍ଲା କରିବାରୁ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ ଅଧ୍ୟକ୍ଷ।
ଗୃହର କାର୍ଯ୍ୟସୂଚୀ ଅନୁଯାୟୀ ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ୍ ସୂନ୍ୟକାଳ ଆରମ୍ଭ କରିବା ମାତ୍ରେ, ବିରୋଧୀ ସାଂସଦମାନେ ନିୟମ ୨୬୭ (Rule 267) ଅଧୀନରେ ନିଜ ପ୍ରସଙ୍ଗ ଉଠାଇବାକୁ ଦାବି କରିଥିଲେ। ତେବେ ଅଧ୍ୟକ୍ଷ ଏହି ଅନୁରୋଧକୁ ଅଗ୍ରାହ୍ୟ କରିବା ସହ ପୂର୍ବରୁ ଏପରି ନୋଟିସକୁ ଅନୁମତି ନଦେବା ନେଇ ରୁଲିଂ ଦିଆଯାଇଥିବା ମନେ ପକାଇ ଦେଇଥିଲେ।
ଏଥିରେ ଅସନ୍ତୁଷ୍ଟ ହୋଇ ବିରୋଧୀ ସାଂସଦମାନେ ହାତରେ ପ୍ଲାକାର୍ଡ ଧରି “ଗୃହମନ୍ତ୍ରୀ ସଦନ ମେଁ ଆଓ” ନାରାବାଜି କରିଥିଲେ। ପରିସ୍ଥିତି ଜଟିଳ ହେବାରୁ ଅଧ୍ୟକ୍ଷ କଠୋର ଚେତାବନୀ ଦେଇ କହିଥିଲେ ଯେ, ଗୃହରେ ପ୍ଲାକାର୍ଡ ଦେଖାଇବା ଶୃଙ୍ଖଳାଗତ ନିୟମର ବିରୋଧୀ ଏବଂ ଶାନ୍ତି ବଜାୟ ନରହିଲେ ସେ ବିରୋଧୀ ଦଳ ନେତାଙ୍କୁ ମଧ୍ୟ କହିବାକୁ ସୁଯୋଗ ଦେବେ ନାହିଁ। ମାତ୍ର ସଦସ୍ୟମାନେ ନିଜ ଆସନକୁ ନଫେରିବାରୁ ଗୃହକୁ ୨ଟା ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଥିଲା।
ଏହାପୂର୍ବରୁ ଗୃହର ସ୍ୱାଭାବିକ କାର୍ଯ୍ୟ ଚାଲୁରହିଥିଲା। ନିଜ ନିଜ ମନ୍ତ୍ରଣାଳୟ ପକ୍ଷରୁ ଡ. ଏଲ୍. ମୁରୁଗନ୍, ତୋଖନ୍ ସାହୁ, ରାଜ ଭୂଷଣ ଚୌଧୁରୀ ଏବଂ ମୁରଲୀଧର ମୋହୋଲ ଗୃହର ପଟ୍ଟଲରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ। ଏହାସହ ସଂସଦୀୟ କମିଟିର ସୁପାରିଶସବୁର କାର୍ଯ୍ୟକାରିତା ସମ୍ପର୍କିତ ବିବୃତି ମଧ୍ୟ ଉପସ୍ଥାପନ କରାଯାଇଥିଲା। ତେବେ ସୂନ୍ୟକାଳରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।




