ନୂଆଦିଲ୍ଲୀ: ଦେଶର ସର୍ବବୃହତ ବିମାନ ସେବା ସଂସ୍ଥା ଇଣ୍ଡିଗୋର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ୱିଲି ୱାଲ୍‌ସ ସୋମବାର ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ସିଇଓ ପିଟର ଏଲବର୍ସଙ୍କ ସ୍ଥାନ ନେଇଛନ୍ତି। ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କ ନିଯୁକ୍ତି ସମ୍ପର୍କରେ କମ୍ପାନି ଘୋଷଣା କରିଥିଲା।

କମ୍ପାନି ପକ୍ଷରୁ କୁହାଯାଇଛି ଯେ, ୱିଲି ୱାଲ୍‌ସଙ୍କ ନେତୃତ୍ୱରେ ଇଣ୍ଡିଗୋ ବିଶେଷ କରି ଅନ୍ତର୍ଜାତୀୟ ଉଡ଼ାଣ ନେଟୱର୍କକୁ ଆହୁରି ବିସ୍ତାର ଓ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବ। ବିଶ୍ୱସ୍ତରୀୟ ବିମାନ ଚଳାଚଳ କ୍ଷେତ୍ରରେ ତାଙ୍କ ଦୀର୍ଘ ଅଭିଜ୍ଞତା କମ୍ପାନିର ଆଗାମୀ ରଣନୀତିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।

ନୂଆ ସିଇଓଙ୍କୁ ସ୍ୱାଗତ ଜଣାଇ ଇଣ୍ଡିଗୋର ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆ କହିଛନ୍ତି ଯେ, କମ୍ପାନି ଏବେ ନିଜର ଯାତ୍ରାର ତୃତୀୟ ଦଶନ୍ଧିରେ ପ୍ରବେଶ କରିଛି। ଏପରି ସମୟରେ ୱାଲ୍‌ସଙ୍କ ଆନ୍ତର୍ଜାତୀୟ ଅନୁଭବ ଇଣ୍ଡିଗୋର ବିଶ୍ୱବ୍ୟାପୀ ବିସ୍ତାରକୁ ନୂଆ ଗତି ଦେବ। ତାଙ୍କ ନେତୃତ୍ୱରେ କମ୍ପାନି ବିମାନ ଚଳାଚଳ କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ୱିଲି ୱାଲ୍‌ସଙ୍କର ବିମାନ ଚଳାଚଳ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧିର ଅଭିଜ୍ଞତା ରହିଛି। ୨୦୦୧ ମସିହାରେ ସେ ଏୟାର ଲିଙ୍ଗୁସ୍‌ର ସିଇଓ ଭାବେ ଦାୟିତ୍ୱ ନେଇଥିଲେ। ପରେ ସେ ବ୍ରିଟିଶ୍‌ ଏୟାରୱେଜ୍‌ ଏବଂ ଇଣ୍ଟରନ୍ୟାସନାଲ୍‌ ଏୟାରଲାଇନ୍ସ ଗ୍ରୁପ୍‌ (IAG) ଭଳି ପ୍ରମୁଖ ବିମାନ ସଂସ୍ଥାର ନେତୃତ୍ୱ ମଧ୍ୟ ସଫଳତାର ସହ ନେଇଥିଲେ। ତାଙ୍କ ନିଯୁକ୍ତି ମାଧ୍ୟମରେ ଇଣ୍ଡିଗୋ ନିଜର ଆନ୍ତର୍ଜାତୀୟ ଉପସ୍ଥିତିକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛି।