ଭୁବନେଶ୍ୱର: ସାଇବର ଅପରାଧର ମୁକାବିଲାକୁ ଅଧିକ ପ୍ରଭାବଶାଳୀ କରିବା, ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ପୋଲିସର ଦକ୍ଷତା ବୃଦ୍ଧି କରିବା ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଓ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର ମଧ୍ୟରେ ଏକ ୫ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି।
ଏହି ଅବସରରେ ଓଡ଼ିଶା ପୁଲିସର ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ, କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ଏବଂ ଏନଏଫଏସୟୁ ଭୁବନେଶ୍ୱର କ୍ୟାମ୍ପସର ନିର୍ଦ୍ଦେଶିକା ଡ଼. ପୁରବୀ ପୋଖରିୟାଲ ଉପସ୍ଥିତ ଥିଲେ। ବୁଝାମଣାପତ୍ର ସ୍ୱାକ୍ଷର ପରେ “ସାଇବର ଅପରାଧ ତଦନ୍ତ ଓ ଡିଜିଟାଲ ଫରେନ୍ସିକ୍ସ” ବିଷୟକ ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।
ଏହି ଅବସରରେ ଡିଜିପି ଖୁରାନିଆ କହିଥିଲେ ଯେ, ବର୍ତ୍ତମାନ ସମୟରେ ସାଇବର ଅପରାଧର ଧରଣ ଦ୍ରୁତ ଗତିରେ ବଦଳୁଥିବାବେଳେ ପ୍ରାୟ ପ୍ରତ୍ୟେକ ଅପରାଧରେ ଡିଜିଟାଲ ପ୍ରମାଣର ଗୁରୁତ୍ୱ ବଢ଼ିଛି। ମ୍ୟୁଲ୍ ଆକାଉଣ୍ଟ, ଅନଲାଇନ୍ ନିବେଶ ଠକେଇ ଓ “ଡିଜିଟାଲ ଗିରଫ” ଭଳି ଅପରାଧକୁ ପ୍ରଭାବଶାଳୀ ଭାବେ ରୋକିବା ପାଇଁ ପୋଲିସ ଅଧିକାରୀମାନଙ୍କର ଡିଜିଟାଲ ପ୍ରମାଣ ସଂଗ୍ରହ, ସଂରକ୍ଷଣ ଓ ବିଶ୍ଳେଷଣରେ ଦକ୍ଷତା ଅତ୍ୟନ୍ତ ଆବଶ୍ୟକ।
ସେ କହିଥିଲେ ଯେ, ନୂତନ ଫୌଜଦାରୀ ଆଇନରେ ଫରେନ୍ସିକ ବିଜ୍ଞାନକୁ ତଦନ୍ତର କେନ୍ଦ୍ରବିନ୍ଦୁ କରାଯାଇଥିବାରୁ ପ୍ରତ୍ୟେକ ପୋଲିସ ଅଧିକାରୀଙ୍କ ପାଇଁ ଇଲେକ୍ଟ୍ରୋନିକ୍ ପ୍ରମାଣର ସଠିକ୍ ପରିଚାଳନା ଏକ ମୌଳିକ କୌଶଳ ହେବା ଦରକାର।
ରାଜ୍ୟରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ୨୦ଟି ନୂତନ ସାଇବର ଅପରାଧ ଓ ଆର୍ଥିକ ଥାନା ସ୍ଥାପନ କରାଯାଇଥିବାବେଳେ ସମସ୍ତ ଥାନାକୁ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଆଧୁନିକ ହାର୍ଡୱେର ଓ ସଫ୍ଟୱେର ଯୋଗାଇ ଦିଆଯାଇଛି। ଏହି ସମସ୍ତ ବ୍ୟବସ୍ଥାର ସଠିକ୍ ବ୍ୟବହାର ପାଇଁ ଉନ୍ନତମାନର ପ୍ରଶିକ୍ଷଣ ଜରୁରୀ ବୋଲି ଡିଜିପି ମତ ପ୍ରକାଶ କରିଛନ୍ତି।
କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ୨୦୨୭ ଜାନୁଆରୀ ସୁଦ୍ଧା ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ଓ କ୍ରାଇମବ୍ରାଞ୍ଚର ମୋଟ ୪୮୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ୧୬ଟି ବ୍ୟାଚରେ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ବ୍ୟାଚରେ ୩୦ ଜଣ ଅଂଶଗ୍ରହଣ କରିବେ ଏବଂ କନଷ୍ଟେବଲ୍ଠାରୁ ଡିଏସ୍ପି ପର୍ଯ୍ୟନ୍ତ ଅଧିକାରୀମାନେ ଏଥିରେ ସାମିଲ ହେବେ।
୬ ଦିନିଆ ଏହି ପ୍ରଶିକ୍ଷଣରେ ୫ ଦିନ ଏନଏଫଏସୟୁର ଶ୍ରେଣୀଗୃହ ଓ ପରୀକ୍ଷାଗାରରେ ତାଲିମ ଦିଆଯିବା ସହ ଶେଷ ଦିନ ସାଇବର କମ୍ପ୍ଲେକ୍ସରେ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରାଯିବ।
କାର୍ଯ୍ୟକ୍ରମରେ ଏସଏଫଏଲ ନିର୍ଦ୍ଦେଶିକା ଡ଼. ସନ୍ତୋଷ ବାଲା, ଆଇଜି (କ୍ରାଇମବ୍ରାଞ୍ଚ) ଡ଼. ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏନଏଫଏସୟୁର ଆସୋସିଏଟ୍ ପ୍ରଫେସର ଡ଼. ବିଶ୍ୱକଲ୍ୟାଣ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।




