ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗରେ ମଙ୍ଗଳବାର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ପ୍ରଶାସନର ହସ୍ତକ୍ଷେପ ପରେ ଆନ୍ଦୋଳନ ଶେଷ ହୋଇଥିଲା।

ସୂଚନା ଅନୁସାରେ, ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ମାତ୍ର ୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି। ସେଥିମଧ୍ୟରୁ ୨ ଜଣ ଶିକ୍ଷକ ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବାରୁ ବିଦ୍ୟାଳୟରେ ନିୟମିତ ପାଠଦାନ ବାଧାପ୍ରାପ୍ତ ହେଉଛି। ଫଳରେ ପାଠ୍ୟକ୍ରମ ସମୟମଧ୍ୟରେ ଶେଷ ହେଉନଥିବାରୁ ପରୀକ୍ଷା ପ୍ରସ୍ତୁତି ମଧ୍ୟ ପ୍ରଭାବିତ ହେଉଛି।

ଏହି ସମସ୍ୟାକୁ ନେଇ ପୂର୍ବରୁ ଅଭିଭାବକମାନେ ଅନେକଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିଲା। ଏହାର ପ୍ରତିବାଦରେ ମଙ୍ଗଳବାର ସକାଳେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ବାହାରେ ଧାରଣାରେ ବସିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଶିକ୍ଷକମାନେ ବୁଝାସୁଝା କରିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ପଛକୁ ହଟିନଥିଲେ।

ଏହି ସମୟରେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଆଗ୍ରୱାଲ ସେହି ରାସ୍ତା ଦେଇ ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ତାଙ୍କ ଗାଡ଼ି ଅଟକାଇ ସମସ୍ୟା ଜଣାଇଥିଲେ। ଉପଜିଲ୍ଲାପାଳ ବିଦ୍ୟାଳୟରେ ପହଞ୍ଚି ପ୍ରାୟ ତିନି ଘଣ୍ଟା ଧରି ସମସ୍ତ ପରିସ୍ଥିତିର ସମୀକ୍ଷା କରିଥିଲେ। ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ଶିକ୍ଷକ ଅଭାବ ଦୂର କରାଯିବ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଏହାସହ ବିଦ୍ୟାଳୟରେ ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବ ନେଇ ମଧ୍ୟ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଗୋଲାମୁଣ୍ଡା ବିଡିଓ ବିଶ୍ୱନାଥ ରାଉତଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଉପଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରି ସେମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।