ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ୍ ଫୋର୍ସ (ODRAF)ର ପୁନର୍ଗଠନ କରାଯାଇ ଏହାକୁ ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (SDRF) ଭାବେ ବିକଶିତ କରାଯିବ। ଏହାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟୟ ମୁକାବିଲାକେନ୍ଦ୍ରିକ ସ୍ୱତନ୍ତ୍ର ବାହିନୀରେ ପରିଣତ କରିବା ପାଇଁ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରାଯିବ।

ମଙ୍ଗଳବାର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଓଡ୍ରାଫ୍ ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ ଗଠନ, ସ୍ୱତନ୍ତ୍ର ନେତୃତ୍ୱ ବ୍ୟବସ୍ଥା ଏବଂ ଏକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦେବା ନେଇ ମଧ୍ୟ ଆଲୋଚନା ହୋଇଛି।

ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଓଡ୍ରାଫ୍‌ର କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯାଇଥିଲା। ସରକାରୀ ସୂଚନା ଅନୁଯାୟୀ, ଅଗଷ୍ଟ ୪ ସୁଦ୍ଧା ୯ଟି ଜିଲ୍ଲାରେ ୫୯ଟି ବୋଟ୍ ସହାୟତାରେ ପ୍ରାୟ ୫୮ ଘଣ୍ଟାର ରାତ୍ରିକାଳୀନ ଉଦ୍ଧାର ଅଭିଯାନ ଚାଲିଥିଲା। ଏଥିରେ ୮୫୨ ଜଣ ପୁରୁଷ ଓ ୫୪୧ ଜଣ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୧୯ ଜଣ ଗର୍ଭବତୀ ମହିଳା, ୬ ଜଣ ସାପ କାମୁଡ଼ା ରୋଗୀ ଏବଂ ୨୫ଟି ଜରୁରୀକାଳୀନ ଚିକିତ୍ସା ସହାୟତା ଅଭିଯାନ ସଫଳତାର ସହ ସମ୍ପନ୍ନ କରାଯାଇଛି।

ଏହାଛଡ଼ା ୨୧୩ଟି ପଶୁସମ୍ପଦକୁ ଉଦ୍ଧାର କରାଯାଇଥିବା ସହ ୧୮ଟି ବିଶାଳ ଗଛ କାଟି ଯାତାୟାତ ସ୍ୱାଭାବିକ କରାଯାଇଛି। ସମୁଦାୟ ୫୯ଟି ଟିମ୍‌ର ୬୭୪ ଜଣ ସଦସ୍ୟ ପ୍ରାୟ ୪୯୦ ଘଣ୍ଟା ଧରି ନିରନ୍ତର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଥିଲେ।

ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ ଓଡ୍ରାଫ୍‌ର ସାହସିକତା ଓ ସମର୍ପଣକୁ ପ୍ରଶଂସା କରି କହିଥିଲେ ଯେ, ଏହି ବାହିନୀର କାର୍ଯ୍ୟଦକ୍ଷତା ରାଜ୍ୟର ବିପର୍ଯ୍ୟୟ ମୁକାବିଲା କ୍ଷମତାକୁ ଆହୁରି ସୁଦୃଢ଼ କରିଛି।

ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ଆଇନ–୨୦୨୫ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ SDRF ଗଠନ ବାଧ୍ୟତାମୂଳକ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ଓଡ୍ରାଫ୍‌କୁ SDRF ଭାବେ ଉନ୍ନୀତ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା ଭବନରେ ଏହାର ମୁଖ୍ୟାଳୟ ସ୍ଥାପନ କରାଯିବା ସହ ବର୍ତ୍ତମାନର ୨୦ଟି ୟୁନିଟ୍ ସହ ଆଉ ୧୦ଟି ନୂଆ ୟୁନିଟ୍ ଯୋଡ଼ାଯାଇ ମୋଟ ୩୦ଟି ୟୁନିଟ୍ ରାଜ୍ୟର ବିଭିନ୍ନ କୌଶଳଗତ ସ୍ଥାନରେ ନିୟୋଜିତ ହେବ।

ସେହିପରି OSDMAକୁ ପୁଲିସ ବିଭାଗର ସହଯୋଗରେ SDRFର କାର୍ଯ୍ୟପ୍ରଣାଳୀ, ପ୍ରଶିକ୍ଷଣ, ମାନବସମ୍ପଦ, ଭିତ୍ତିଭୂମି ଓ ଆବଶ୍ୟକ ସରଞ୍ଜାମ ସମ୍ପର୍କିତ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।