ଯାଜପୁର: ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି, କ୍ଷୟକ୍ଷତି ଏବଂ ବିପନ୍ନଙ୍କ ପାଇଁ ଜାରି ରହିଥିବା ରିଲିଫ୍ ଓ ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୌରୋହିତ୍ୟ କରି ସେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

ଏହି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ହୋଇଥିବା କ୍ଷୟକ୍ଷତିର ଆକଳନ ସହ ବିପନ୍ନମାନଙ୍କୁ ଦିଆଯାଉଥିବା ଜରୁରୀକାଳୀନ ସହାୟତାର ସ୍ଥିତି ନେଇ ପଚାରି ବୁଝିଥିଲେ। ପ୍ରତ୍ୟେକ ବନ୍ୟା ପ୍ରଭାବିତ ପରିବାର ନିକଟରେ ଯେପରି ସଠିକ୍ ସମୟରେ ଆବଶ୍ୟକୀୟ ରିଲିଫ୍ ଓ ସହାୟତା ସାମଗ୍ରୀ ପହଞ୍ଚିପାରିବ, ତାହା ନିଶ୍ଚିତ କରିବାକୁ ସେ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସଙ୍କଟର ଏହି ସମୟରେ ବିପନ୍ନ ଲୋକଙ୍କୁ ଜରୁରୀ ସେବା ଓ ସହାୟତା ଯୋଗାଇବାରେ କୌଣସି ପ୍ରକାରର ଅବହେଳା କିମ୍ବା ଶିଥିଳତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସରକାର ସମ୍ପୂର୍ଣ୍ଣ ଭାବେ ବନ୍ୟା ବିପନ୍ନଙ୍କ ସହ ଅଛନ୍ତି ଏବଂ ରିଲିଫ୍ ବଣ୍ଟନ ପ୍ରକ୍ରିୟାକୁ ଅଧିକ ସୁଚାରୁ ଓ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ବଡ଼ଚଣା ବିଧାୟକ ଅମର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।