ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଗୌରବପୂର୍ଣ୍ଣ ଓ ଐତିହାସିକ ମୁହୂର୍ତ୍ତରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନୂଆଦିଲ୍ଲୀସ୍ଥିତ ଲାଜପତ ଭବନ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ଦେଶର ରାଜଧାନୀ ନୂଆଦିଲ୍ଲୀରେ କୌଣସି ପ୍ରମୁଖ ଓଡ଼ିଆ ମହାନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବାରେ ଏହା ପ୍ରଥମ ଘଟଣା, ଯାହା ସମଗ୍ର ଓଡ଼ିଶାବାସୀଙ୍କୁ ଆହ୍ଲାଦିତ କରିଛି।

ଏହି ସମାରୋହରେ ରାଷ୍ଟ୍ରପତି ମୁର୍ମୁ ଲୋକସେବକ ମଣ୍ଡଳର ସଂସ୍ଥାପକ ତଥା ପଞ୍ଜାବ କେଶରୀ ଲାଲା ଲାଜପତ ରାୟଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଭବ୍ୟ ଉତ୍ସବରେ ବହୁ ରାଜନେତା, ସାଂସଦ, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଦିଲ୍ଲୀରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ଶତାଧିକ ପ୍ରତିନିଧି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପିତ୍ତଳ ଏବଂ ତମ୍ବାରେ ନିର୍ମିତ ପ୍ରାୟ ୫୨ କିଲୋଗ୍ରାମ ଓଜନର ଏହି କାଂସ୍ୟ ପ୍ରତିମୂର୍ତ୍ତିଟିକୁ ଓଡ଼ିଶାର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥ ନିର୍ମାଣ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ଜାତୀୟ ରାଜଧାନୀରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓଡ଼ିଶା ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଏହା ଓଡ଼ିଶାର ଜନସେବା, ତ୍ୟାଗ ଏବଂ ରାଷ୍ଟ୍ର ନିର୍ମାଣର ସମୃଦ୍ଧ ପରମ୍ପରାକୁ ସମଗ୍ର ଦେଶ ଆଗରେ ପ୍ରତିଫଳିତ କରୁଛି।

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ଲାଲା ଲାଜପତ ରାୟଙ୍କ ନିଃସ୍ୱାର୍ଥପର ସେବା, ତ୍ୟାଗ, ଶିକ୍ଷାର ବିକାଶ ଏବଂ ଦେଶପ୍ରେମର ଆଦର୍ଶ ଯୁଗ ଯୁଗ ଧରି ଆମର ନୂତନ ପିଢ଼ିକୁ ପ୍ରେରଣା ଯୋଗାଇ ଚାଲିବ।

ଏହି ଉନ୍ମୋଚନ ଉତ୍ସବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଲୋକସେବକ ମଣ୍ଡଳର ସଭାପତି ରାଜକୁମାର, ବିଭିନ୍ନ ଦଳର ସାଂସଦ ଏବଂ ପ୍ରବାସୀ ଓଡ଼ିଆମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ।

ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ଶ୍ରଦ୍ଧାର ସହ ପୂଜିତ ଉତ୍କଳମଣି ଗୋପବନ୍ଧୁ ଦାସ ନିଜର ସମଗ୍ର ଜୀବନକୁ ଶିକ୍ଷାର ପ୍ରସାର, ସମାଜ ସଂସ୍କାର ଏବଂ ଆର୍ତ୍ତ ଓ ଅସହାୟଙ୍କ ସେବାରେ ଉତ୍ସର୍ଗ କରିଥିଲେ। ତାଙ୍କର ଏହି ମହାନ ଦର୍ଶନ ଓ ଆଦର୍ଶ ଆଜି ବି ଭାରତୀୟ ସମାଜକୁ ମାର୍ଗଦର୍ଶନ କରାଉଛି।