ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଶ୍ରେଣୀ ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକରେ ୧,୬୦୦ରୁ ଊର୍ଦ୍ଧ୍ୱ ଭୁଲ୍ ସାମ୍ନାକୁ ଆସିବା ପରେ, ଏବେ ପ୍ରଥମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ‘ଝୁଲଣା-୧’ ବହିରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି। ଇଂରାଜୀ ମାଧ୍ୟମ ଘରୋଇ ସ୍କୁଲଗୁଡ଼ିକ ପାଇଁ ପ୍ରସ୍ତୁତ ଏହି ପାଠ୍ୟପୁସ୍ତକରେ ଓଡ଼ିଆ ବର୍ଣ୍ଣମାଳାର କ୍ରମକୁ ସମ୍ପୂର୍ଣ୍ଣ ବିକୃତ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଓଡ଼ିଆ ଭାଷା ଶିକ୍ଷାର ପ୍ରାରମ୍ଭିକ ପଦକ୍ଷେପ ସ୍ୱରବର୍ଣ୍ଣ ‘ଅ’ରୁ ଆରମ୍ଭ ହେବା ପରିବର୍ତ୍ତେ ‘ଝୁଲଣା-୧’ ବହିରେ ପ୍ରଥମେ ବ୍ୟଞ୍ଜନବର୍ଣ୍ଣ ‘ଚ’ରୁ ଆରମ୍ଭ କରାଯାଇଛି। ଏହା ପରେ ‘ଟ’, ‘ମ’, ‘ଗ’ ଏବଂ ‘ର’ ଭଳି ବର୍ଣ୍ଣ ଦିଆଯାଇଥିବା ବେଳେ ‘ଅ’ ଓ ‘ଆ’ ବହୁ ପଛରେ ସ୍ଥାନ ପାଇଛି। ଏଭଳି ଅସ୍ବାଭାବିକ କ୍ରମ କୋମଳମତି ଶିଶୁଙ୍କୁ ଭାଷା ଶିଖିବାରେ ନିଶ୍ଚିତ ଭାବେ ଗୁରୁତର ଦ୍ୱନ୍ଦ୍ୱରେ ପକାଇବ ବୋଲି ଶିକ୍ଷକ ଓ ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ସେତିକି ନୁହେଁ, ପୁସ୍ତକଟିରେ ଆହୁରି କେତେକ ବଡ଼ ଧରଣର ଭୁଲ୍ ମଧ୍ୟ ଚିହ୍ନଟ ହୋଇଛି। ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ର ଗୁରୁତ୍ୱପୂର୍ଣ୍ଣ ପଦ “ଘନ ଘନ ବନଭୂମି” ସ୍ଥାନରେ “ଘନ ବନଭୂମି” ବୋଲି ଛପାଯାଇଛି। ସେହିପରି ଜାତୀୟ ସଙ୍ଗୀତରେ “ଉତ୍କଳ” ଶବ୍ଦର ବାନାନ ମଧ୍ୟ ଭୁଲ୍ ରହିଛି।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଅନେକ ବିଦ୍ୟାଳୟକୁ ଏପର୍ଯ୍ୟନ୍ତ ଏହି ବହିର ହାର୍ଡ କପି (ଛପା ବହି) ମିଳିନାହିଁ। ଅଭିଭାବକମାନଙ୍କୁ ସ୍କୁଲ ପକ୍ଷରୁ ଏକ ୧୬୮ ପୃଷ୍ଠାର PDF ସଂସ୍କରଣ ଦିଆଯାଇଛି। ଡିଜିଟାଲ୍ ସଂସ୍କରଣରେ ହିଁ ଏତେ ଗୁଡ଼ିଏ ଭୁଲ୍ ରହିଥିବାରୁ ଏହାର ଗୁଣବତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରୀ ନିର୍ଦ୍ଦେଶକ୍ରମେ ଇଂରାଜୀ ମାଧ୍ୟମ ଘରୋଇ ସ୍କୁଲଗୁଡ଼ିକ ପାଇଁ ଏହି ପାଠ୍ୟପୁସ୍ତକ ପ୍ରବର୍ତ୍ତନ କରାଯାଇଥିଲା। ତେଣୁ ସରକାର ଓ ଶିକ୍ଷା ବିଭାଗ ତୁରନ୍ତ ଏହି ପୁସ୍ତକର ପୁନରୀକ୍ଷଣ କରି ସମସ୍ତ ତ୍ରୁଟି ସୁଧାରିବା ସହ ଶୀଘ୍ର ଭୁଲ୍‌ଶୂନ୍ୟ ଛପା ବହି ଯୋଗାଇବାକୁ ଅଭିଭାବକ ମହଲରେ ଦାବି ହୋଇଛି।