ମୁମ୍ବାଇ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ପ୍ରଚାରିତ ଅଶ୍ଳୀଳ, ଅପମାନଜନକ ଓ ମାନହାନିକର ପୋଷ୍ଟଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ବମ୍ବେ ହାଇକୋର୍ଟ ବୁଧବାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହ ସୋସିଆଲ ମିଡିଆ କମ୍ପାନିମାନଙ୍କ ଦାୟିତ୍ୱବୋଧକୁ ନେଇ ମଧ୍ୟ ଅଦାଲତ ପ୍ରଶ୍ନ ଉଠାଇଛନ୍ତି।

ବିଚାରପତି ଆରିଫ୍ ଡକ୍ଟରଙ୍କ ଏକକ ଖଣ୍ଡପୀଠ ଗଡ଼କରୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ତାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଅଦାଲତ ମେଟା, ଏକ୍ସ (ପୂର୍ବତନ ଟ୍ୱିଟର) ଓ ଗୁଗୁଲ୍‌କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଗଡ଼କରୀଙ୍କ ବିରୋଧରେ ଥିବା ସମସ୍ତ ଆପତ୍ତିଜନକ ପୋଷ୍ଟକୁ ଶୀଘ୍ର ଅପସାରଣ କରାଯାଉ।

ଶୁଣାଣି ବେଳେ ଅଦାଲତ ମନ୍ତବ୍ୟ ଦେଇଥିଲେ ଯେ, ସମ୍ପୃକ୍ତ ପୋଷ୍ଟଗୁଡ଼ିକ ଅତ୍ୟନ୍ତ ଅଶ୍ଳୀଳ, ଗାଳିଗୁଲଜପୂର୍ଣ୍ଣ ଓ ମାନହାନିକର। ଏପରି ବିଷୟବସ୍ତୁ ସୋସିଆଲ ମିଡିଆରେ ଦୀର୍ଘ ସମୟ ରହିବା ଚିନ୍ତାଜନକ ବୋଲି କୋର୍ଟ କହିଛନ୍ତି।

ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ପଚାରିଛନ୍ତି ଯେ, କେହି ଅଭିଯୋଗ କରିବା କିମ୍ବା କୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ଏଭଳି ଅପମାନଜନକ ପୋଷ୍ଟକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରି ହଟାଇବା ପାଇଁ କୌଣସି ପ୍ରଯୁକ୍ତିଗତ ବ୍ୟବସ୍ଥା ରହିଛି କି ନାହିଁ।

ବିଚାରପତି କହିଛନ୍ତି, ଆଧୁନିକ ପ୍ରଯୁକ୍ତିର ଯୁଗରେ ଅଶ୍ଳୀଳ, ଭୁଲ୍ ଏବଂ ମାନହାନିକର ପୋଷ୍ଟଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ଅପସାରଣ କରିବାର କ୍ଷମତା ସୋସିଆଲ ମିଡିଆ ପ୍ଲାଟଫର୍ମମାନଙ୍କ ପାଖରେ ରହିବା ଉଚିତ। ଏହି ଘଟଣାରେ ପରବର୍ତ୍ତୀ ଶୁଣାଣିରେ ସମ୍ପୃକ୍ତ ପ୍ଲାଟଫର୍ମଗୁଡ଼ିକୁ ସେମାନଙ୍କ ପକ୍ଷ ସ୍ପଷ୍ଟ କରିବାକୁ ପଡ଼ିବ।