ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରମୁଖ ଶିଳ୍ପ ଓ ବାଣିଜ୍ୟିକ କେନ୍ଦ୍ର ଜେବେଲ୍ ଅଲି ଅଞ୍ଚଳରେ ବୁଧବାର ରାତିରେ ପରପରି ସାତଟି ବିସ୍ଫୋରଣ ଘଟିବାରୁ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି। ପ୍ରାୟ ୨୦ ମିନିଟ୍ ମଧ୍ୟରେ ଘଟିଥିବା ଏହି ବିସ୍ଫୋରଣ ପରେ ଆକାଶରେ ଘନ କଳା ଧୂଆଁ ଦେଖିବାକୁ ମିଳିଥିଲା। ତେବେ ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜେବେଲ୍ ଅଲି ନିକଟସ୍ଥ ଅଲ୍ ଫୁରଜାନ୍ ଅଞ୍ଚଳରେ ଲଗାତାର ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ବହୁ ଦୂରରୁ ମଧ୍ୟ ଧୂଆଁର କୁଣ୍ଡଳୀ ସ୍ପଷ୍ଟ ଦେଖାଯାଉଥିଲା।
ଘଟଣା ପରେ ଦୁବାଇ ପୁଲିସ ଓ ସୁରକ୍ଷା ସଂସ୍ଥାଗୁଡ଼ିକ ସମଗ୍ର ଅଞ୍ଚଳକୁ ସୁରକ୍ଷା ବଳୟ ଭିତରେ ରଖି ତଦନ୍ତ ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରେ ବିସ୍ଫୋରଣର ଭିଡିଓ ପ୍ରଚାର କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କୁ ଅପ୍ରମାଣିତ ସୂଚନା ପ୍ରସାରଣ ନ କରିବାକୁ ଓ କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଅନୁରୋଧ କରିଛନ୍ତି।
ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେତେକ ବିଦେଶୀ ଗଣମାଧ୍ୟମରେ ୟେମେନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା ଦାବି କରାଯାଇଥିଲେ ମଧ୍ୟ, ୟୁଏଇ ସରକାର ଏହାକୁ ଏପର୍ଯ୍ୟନ୍ତ ସମର୍ଥନ କରିନାହାନ୍ତି। ତେଣୁ ଏହି ଦାବିର ସରକାରୀ ପୁଷ୍ଟି ମିଳିନାହିଁ।
ଅନ୍ୟପଟେ, ନାସାର ଥର୍ମାଲ୍ ସାଟେଲାଇଟ୍ ଚିତ୍ରରେ ବନ୍ଦର ନିକଟରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ସଙ୍କେତ ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଉକ୍ତ ଗୋଦାମରେ ଇନ୍ଧନ ସଂରକ୍ଷଣ କରାଯାଉଥିଲା। ତେବେ ଏହା ଶିଳ୍ପ ଦୁର୍ଘଟଣା ନା ଅନ୍ୟ କୌଣସି କାରଣରୁ ଘଟିଛି, ସେନେଇ ତଦନ୍ତ ଚାଲିଛି।
ଉଲ୍ଲେଖଯୋଗ୍ୟ, ଜେବେଲ୍ ଅଲି ବିଶ୍ୱର ସର୍ବବୃହତ ମାନବ ନିର୍ମିତ ବନ୍ଦରମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ୟୁଏଇର ଗୁରୁତ୍ୱପୂର୍ଣ୍ଣ ମୁକ୍ତ ବାଣିଜ୍ୟ କ୍ଷେତ୍ର। ମଧ୍ୟପ୍ରାଚ୍ୟର ବର୍ତ୍ତମାନର ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଏହି ଘଟଣାକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ଉଚ୍ଚ ସତର୍କତା ଜାରି ରଖିଛନ୍ତି।




