ପୁରୀ: ପୁରୀ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ମନ୍ଦିରର ଭିତର ବେଢ଼ା ଅନ୍ତର୍ଗତ ଚାଙ୍ଗଡ଼ା ଘର ନିକଟରେ ଜଣେ ଭକ୍ତ ବାନ୍ତି କରିଦେବାରୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ବିଶେଷ ଶୁଦ୍ଧିପୂତ ମହାସ୍ନାନ ନୀତି କରାଯାଇଛି।

ଶ୍ରୀମନ୍ଦିର ନୀତିକାନ୍ତି ଓ ସେବାୟତଙ୍କ ସୂଚନା ଅନୁଯାୟୀ, ମନ୍ଦିର ପରିସର କିମ୍ବା ଭିତର ବେଢ଼ାରେ କୌଣସି ପ୍ରକାରର ଅଶୌଚ, ରକ୍ତ, ବାନ୍ତି କିମ୍ବା ଅପବିତ୍ରତା ଦେଖାଦେଲେ ଶ୍ରୀଜିଉମାନଙ୍କର ଏବଂ ମନ୍ଦିର ପରିସରର ପବିତ୍ରତା ରକ୍ଷା ପାଇଁ ‘ମହାସ୍ନାନ’ କରାଯିବାର ବିଧି ରହିଛି। ଚାଙ୍ଗଡ଼ା ଘର ନିକଟରେ ବାନ୍ତି ପଡ଼ିବା ମାତ୍ରେ ସେବାୟତମାନେ ତୁରନ୍ତ ଦର୍ଶନ ବନ୍ଦ କରିବା ସହ ଶୋଧ କାର୍ଯ୍ୟ ଆରମ୍ଭ କରିଥିଲେ।

ଏହି ସମୟରେ ମନ୍ଦିର ପରିସରକୁ ଜଳ ଦ୍ୱାରା ଧୋଇ ଶୁଦ୍ଧ କରାଯିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ବଡ଼ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ମହାସ୍ନାନ ପୂଜାପାଠ ପରେ ଶ୍ରୀମନ୍ଦିରର ଅନ୍ୟାନ୍ୟ ଦୈନନ୍ଦିନ ନୀତିକାନ୍ତି ପୁନର୍ବାର ଆରମ୍ଭ କରାଯାଇଥିଲା।

ମହାସ୍ନାନ ନୀତି ଚାଲିଥିବା ସମୟରେ କିଛି ସମୟ ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ସ୍ଥଗିତ ରହିଥିବାରୁ ବାହାର କାଠ ନିକଟରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ତେବେ ମହାସ୍ନାନ ନୀତି ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ସାଧାରଣ ଦର୍ଶନ କରିବାର ସୁଯୋଗ ପାଇଥିଲେ।