ନୂଆଦିଲ୍ଲୀ: ଅନଲାଇନ୍ କ୍ରୟ ଓ ସବସ୍କ୍ରିପସନ୍ ସମୟରେ ଗ୍ରାହକଙ୍କୁ ବିଭ୍ରାନ୍ତ କରୁଥିବା ‘ଡାର୍କ ପ୍ୟାଟର୍ଣ୍ଣ’ (Dark Patterns) ବ୍ୟବହାର କରିବା ଅଭିଯୋଗରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ୯ଟି ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏହି ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଜେପ୍ଟୋ (Zepto), ଫିଜିକ୍ସ ୱାଲା (Physics Wallah), ଇଣ୍ଡିଗୋ (IndiGo), ବୁକ୍ମାଇସୋ (BookMyShow), ଫର୍ଷ୍ଟକ୍ରାଇ (FirstCry) ଏବଂ ସ୍ପାଇସ୍ଜେଟ୍ (SpiceJet) ଭଳି ବଡ଼ ବଡ଼ ସଂସ୍ଥା ସାମିଲ ଅଛନ୍ତି।
ରାଜ୍ୟସଭାରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଲିଖିତ ଉତ୍ତରରୁ ଏହି ସୂଚନା ମିଳିଛି। ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକରେ ଗ୍ରାହକଙ୍କୁ ଅସାଧୁ ଉପାୟରେ ପ୍ରଭାବିତ କରୁଥିବା ‘ଡ୍ରିପ୍ ପ୍ରାଇସିଂ’, ‘ବାସ୍କେଟ୍ ସ୍ନିକିଂ’, ‘କନଫର୍ମ ସେମିଂ’ ଏବଂ ‘ସବସ୍କ୍ରିପସନ୍ ଟ୍ରାପ୍’ ପରି ଚଞ୍ଚକତାପୂର୍ଣ୍ଣ ନୀତି ନିଷିଦ୍ଧ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ପ୍ରାଧିକରଣ ବର୍ତ୍ତମାନ ସୁଦ୍ଧା ମୋଟ୍ ପ୍ରାୟ ୨୦ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିସାରିଛନ୍ତି।
ଜରିମାନା କରାଯାଇଥିବା ସଂସ୍ଥାଗୁଡ଼ିକ ମଧ୍ୟରେ କ୍ୱିକ୍ କମର୍ସ ପ୍ଲାଟଫର୍ମ Zepto ଉପରେ ସର୍ବାଧିକ ୭ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। କ୍ରୟ ସମୟରେ ଆରମ୍ଭରୁ କମ୍ ମୂଲ୍ୟ ଦେଖାଇ ଶେଷ ମୁହୂର୍ତ୍ତରେ ଅତିରିକ୍ତ ହ୍ୟାଣ୍ଡଲିଂ ଚାର୍ଜ ଓ ମେମ୍ବରସିପ୍ ଫି ଯୋଡ଼ୁଥିବାରୁ CCPA ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେହିପରି ଆଡ୍ଟେକ୍ ସଂସ୍ଥା Physics Wallah ଉପରେ ୫ ଲକ୍ଷ ଟଙ୍କାର ଜରିମାନା ହୋଇଛି। ଏହି ପ୍ଲାଟଫର୍ମରେ ନିଜ ‘PW Foundation’ ପାଇଁ ଅଟୋମେଟିକ୍ ୧୦ ଟଙ୍କା ଦାନ ପ୍ରି-ସିଲେକ୍ଟ ହୋଇ ରହୁଥିଲା ଏବଂ ମାଗଣା କୋର୍ସ ପାଇଁ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ବାଧ୍ୟତାମୂଳକ କରାଯାଉଥିଲା।
ଏତଦ୍ବ୍ୟତୀତ, IndiGo ବିମାନ ସେବା ଆପ୍ରେ ‘No I will take risk’ ପରି ଭୟଭୀତ କଲାଭଳି ବାର୍ତ୍ତାକୁ ହଟାଇ ‘No, I will not add to the trip’ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।BookMyShow ର ‘BookASmile’ ନିମନ୍ତେ ଅଟୋମେଟିକ୍ ୧ ଟଙ୍କା ଯୋଡ଼ିବା ବନ୍ଦ କରାଯାଇଛି।FirstCry ଉପରେ ୨ ଲକ୍ଷ, କୋଚିଂ ପ୍ଲାଟଫର୍ମ Anuj Jindal ଉପରେ ୩ ଲକ୍ଷ, ଏବଂ PharmaEasy, McAfee ଓ SpiceJet ପ୍ରତ୍ୟେକଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି। ଗ୍ରାହକଙ୍କ ସ୍ୱାର୍ଥରକ୍ଷା ଓ ସ୍ୱଚ୍ଛତା ପାଇଁ ସମସ୍ତ ଡିଜିଟାଲ୍ ସଂସ୍ଥାକୁ ଏହିପରି ଭ୍ରାମକ ନୀତିରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।




