ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ର ବର୍ତ୍ତନା ପଞ୍ଚାୟତ ଅନ୍ତର୍ଗତ ଖରିଦା ଗ୍ରାମରେ ଘର ପ୍ରତିଷ୍ଠା ଉତ୍ସବର ଭୋଜି ଖାଇବା ପରେ ଶହେରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ ପ୍ରାୟ ୩୦ ଜଣ ଶିଶୁ ଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁସାରେ, ବୁଧବାର ଖରିଦା ଗ୍ରାମର ବିଜୟ ମହାନ୍ତିଙ୍କ ଘର ପ୍ରତିଷ୍ଠା ଉତ୍ସବ ଅବସରରେ ରାତିରେ ଭୋଜିର ଆୟୋଜନ କରାଯାଇଥିଲା। ଏହି ଭୋଜିରେ ପ୍ରାୟ ୫୦୦ରୁ ଅଧିକ ଗ୍ରାମବାସୀ ଯୋଗଦେଇଥିଲେ। ଭୋଜନ ପରେ ବିଳମ୍ବିତ ରାତିରୁ କିଛି ଲୋକଙ୍କଠାରେ ଝାଡ଼ା ଓ ବାନ୍ତି ଲକ୍ଷଣ ଦେଖାଦେଇଥିଲା।
ଗୁରୁବାର ସକାଳ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ସହ ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଗୁରୁତର ଅସୁସ୍ଥମାନଙ୍କୁ ଜଳେଶ୍ୱରସ୍ଥିତ ଜି.କେ. ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ୩୫ରୁ ଅଧିକ ରୋଗୀ ସେଠାରେ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଜି.କେ. ଭଟ୍ଟର ହସ୍ପିଟାଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅରୂପ ଅଭିଷେକଙ୍କ ସହ ଡାକ୍ତର ବିନୋଦ ପ୍ରଧାନ ଓ ଡାକ୍ତର ମନୋଜ ଜାହାଙ୍ଗୀରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି।
ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖରିଦା ଗ୍ରାମକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ଭୀଷ୍ମ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଗ୍ରାମରେ ସ୍ୱାସ୍ଥ୍ୟ ଶିବିର କରାଯିବା ସହ ଆକ୍ରାନ୍ତଙ୍କ ଚିକିତ୍ସା ଓ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
ଖାଦ୍ୟ ବିଷାକ୍ତତା ନା ଅନ୍ୟ କୌଣସି କାରଣରୁ ଏହି ଘଟଣା ଘଟିଛି, ତାହା ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।




