ଶ୍ରୀନଗର: ଚଳିତ ବର୍ଷ ମୌସୁମୀ ଋତୁ ଆରମ୍ଭ ହେବା ପରଠାରୁ ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଘଟଣା ଉଦ୍ବେଗଜନକ ଭାବେ ବଢ଼ିଛି। ସରକାରୀ ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ୪୪ଟି ବାଦଲଫଟା ବର୍ଷା, ୨୧ଟି ଭୂସ୍ଖଳନ ଓ ୧୮ଟି ଆକସ୍ମିକ ବନ୍ୟା ଘଟଣା ଘଟିଥିବା ବେଳେ ୩୫ ଜଣଙ୍କ ପ୍ରାଣହାନି ଘଟିଛି। ଏଥିସହ ୬୧ ଜଣ ଆହତ ହୋଇଥିବା ଜମ୍ମୁ-କାଶ୍ମୀର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଜୁନ୍ ୨୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୧୪୦ରୁ ଅଧିକ ପଶୁଙ୍କ ମୃତ୍ୟୁ ଘଟିଛି। ଅନେକ ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସଡ଼କ, ସେତୁ, ବିଦ୍ୟୁତ୍ ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପଡ଼ିଛି।

ଡୋଡା, କିସ୍ତୱାଡ଼, ରାମବନ, ଉଧମପୁର, ରାଜୌରୀ ଓ ପୁଞ୍ଚ ଜିଲ୍ଲା ସମେତ କାଶ୍ମୀର ଉପତ୍ୟକାର କିଛି ପାହାଡ଼ିଆ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବିଶେଷକରି କିସ୍ତୱାଡ଼ ଓ ରାମବନରେ ନିକଟରେ ଘଟିଥିବା ବାଦଲଫଟା ବର୍ଷା ପରେ ପାହାଡ଼ିଆ ନାଳରେ ହଠାତ୍ ଜଳସ୍ତର ବଢ଼ିଯାଇ କାଦୁଅ ଓ ପଥର ମାଡ଼ି ଆସି ଘରବାଡ଼ି ଓ ଯୋଗାଯୋଗ ବ୍ୟବସ୍ଥାକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା।

ଅନେକ ସ୍ଥାନରେ ଉଦ୍ଧାରକାରୀ ଦଳକୁ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚଳାଇବାକୁ ପଡ଼ିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁଲିସ, ସେନା, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଟିମ୍‌ ମିଳିତ ଭାବେ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି।

ଏପରିସ୍ଥିତିରେ ପାଣିପାଗ ବିଭାଗ ପାହାଡ଼ିଆ ଅଞ୍ଚଳରେ ଆହୁରି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କତା ଜାରି କରିଛି। ନଦୀକୂଳ ଓ ପାହାଡ଼ ଢାଲୁ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପ୍ରଶାସନ ପରାମର୍ଶ ଦେଇଛି।