ନୂଆଦିଲ୍ଲୀ: ଦେଶରେ ରଣନୀତିକ ଇନ୍ଧନ ଭଣ୍ଡାର (Strategic Fuel Reserve) ବିସ୍ତାର କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ଓ ଜାତୀୟ ଇନ୍ଧନ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଶୋଧିତ ତେଲ, ଏଲ୍ଏନ୍ଜି ଏବଂ ଏଲ୍ପିଜିର ବୃହତ୍ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଯୋଜନା ହେଉଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୪୨ ବିଲିୟନ ଡଲାର (ପ୍ରାୟ ୩.୭ ଲକ୍ଷ କୋଟି ଟଙ୍କା) ନିବେଶ ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି।
ସରକାରୀ ସ୍ତରରେ ଏହି ପ୍ରସ୍ତାବ ଏପର୍ଯ୍ୟନ୍ତ ଅନୁମୋଦନ ପାଇନଥିଲେ ମଧ୍ୟ, ଏଥିପାଇଁ ଘରୋଇ ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ ବ୍ୟବହାରକାରୀଙ୍କଠାରୁ ଅତିରିକ୍ତ ଶୁଳ୍କ ଆଦାୟ କରାଯିବା ନେଇ ବିଚାର ଚାଲିଥିବା ସୂଚନା ମିଳିଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଘରୋଇ ଏଲ୍ପିଜି ସିଲିଣ୍ଡର ଓ ପିଏନ୍ଜି ବ୍ୟବହାରକାରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ।
ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ, ଘରୋଇ ଏଲ୍ପିଜି ଉପରେ ପ୍ରତି କିଲୋଗ୍ରାମ ପିଛା ୧ ଟଙ୍କା ୨୯ ପଇସା ହାରରେ ଶୁଳ୍କ ଲାଗୁ ହୋଇପାରେ। ଏହା ଫଳରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଏକ ଘରୋଇ ଗ୍ୟାସ ସିଲିଣ୍ଡରର ଦର ପ୍ରାୟ ୧୮ ଟଙ୍କା ବୃଦ୍ଧି ପାଇପାରେ। ସେହିପରି ପ୍ରାକୃତିକ ଗ୍ୟାସ ଉପରେ ପ୍ରତି ଷ୍ଟାଣ୍ଡାର୍ଡ ଘନ ମିଟର ପିଛା ୧ ଟଙ୍କା ୪୩ ପଇସା ଶୁଳ୍କ ଲାଗୁ କରିବାକୁ ମଧ୍ୟ ବିଚାର କରାଯାଉଛି।
ଏହି ନୂଆ ଶୁଳ୍କ ବ୍ୟବସ୍ଥା ଜରିଆରେ ପ୍ରତିବର୍ଷ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇପାରିବ ବୋଲି ସରକାର ଆକଳନ କରିଛନ୍ତି। ସଂଗୃହୀତ ଅର୍ଥକୁ ରଣନୀତିକ ଇନ୍ଧନ ଭଣ୍ଡାର ନିର୍ମାଣ ଓ ବିସ୍ତାର କାର୍ଯ୍ୟରେ ବିନିଯୋଗ କରାଯିବ। ତେବେ ଏହି ଅର୍ଥ ସଂଗ୍ରହ ପାଇଁ କେଉଁ ପ୍ରକ୍ରିୟା ଅନୁସରଣ କରାଯିବ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ।
ଆଗାମୀ ଦଶ ବର୍ଷ ମଧ୍ୟରେ ଦେଶରେ ଅତିରିକ୍ତ ୨୮ ନିୟୁତ ମେଟ୍ରିକ ଟନ୍ ଅଶୋଧିତ ତେଲ, ୯ ନିୟୁତ ଟନ୍ ଏଲ୍ଏନ୍ଜି ଏବଂ ୪ ନିୟୁତ ଟନ୍ ଏଲ୍ପିଜି ସଂରକ୍ଷଣ କ୍ଷମତା ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦେଶରେ ୫.୩୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ରଣନୀତିକ ଅଶୋଧିତ ତେଲ ଭଣ୍ଡାର ଥିବା ବେଳେ ଆଉ ୬.୫ ନିୟୁତ ଟନ୍ କ୍ଷମତାର ନୂଆ ଭଣ୍ଡାର ନିର୍ମାଣାଧୀନ ରହିଛି। କିନ୍ତୁ ଏଲ୍ଏନ୍ଜି ଓ ଏଲ୍ପିଜି ପାଇଁ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ରଣନୀତିକ ଭଣ୍ଡାର ବ୍ୟବସ୍ଥା ନାହିଁ।
ଏହି ଯୋଜନା ଲାଗୁ ହେଲେ ପ୍ରଥମ ଥର ପାଇଁ ଦେଶର ରଣନୀତିକ ଇନ୍ଧନ ସଂରକ୍ଷଣ ବ୍ୟବସ୍ଥାକୁ ଅଶୋଧିତ ତେଲ ସହ ଏଲ୍ଏନ୍ଜି ଓ ଏଲ୍ପିଜି ପର୍ଯ୍ୟନ୍ତ ବିସ୍ତାର କରାଯିବ। ସରକାରଙ୍କ ଲକ୍ଷ୍ୟ ହେଉଛି ଦେଶର ଆବଶ୍ୟକତା ଅନୁଯାୟୀ ଦୁଇ ମାସର ଅଶୋଧିତ ତେଲ ଓ ଏଲ୍ଏନ୍ଜି ସହ ପ୍ରାୟ ଛଅ ସପ୍ତାହର ଏଲ୍ପିଜି ମହଜୁଦ ରଖିବା।




