ପୁରୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ଲଗାଣ ବର୍ଷା ଜାରି ରହିଛି। ଆକାଶ ନିରନ୍ତର ମେଘାଚ୍ଛନ୍ନ ରହିବା ସହ ସମୁଦ୍ରରେ ବିଶାଳ ଢେଉ ଓ ପ୍ରବଳ ଜୁଆର ଦେଖିବାକୁ ମିଳୁଛି।

ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏହି କଟକଣା ଯୋଗୁଁ ଅସ୍ତରଙ୍ଗ, ନୂଆଗଡ଼, ଉଦୟକଣି, କାକଟପୁର ଏବଂ ଆଖପାଖ ସମୁଦ୍ରକୂଳ ଅଞ୍ଚଳର ଶହ ଶହ ମାଛଧରା ଡଙ୍ଗା ଓ ଟ୍ରଲର ଘାଟରେ ଅଟକି ରହିଛି। ସମୁଦ୍ରକୁ ଜାହାଜ ଓ ଡଙ୍ଗା ନଛାଡ଼ିବା ଫଳରେ ମାଛଧରା କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି, ଯାହା ଦୈନିକ ମାଛ ଧରି ପରିବାର ଚଳାଉଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଗଭୀର ସଙ୍କଟ ମଧ୍ୟକୁ ଠେଲି ଦେଇଛି।

ସ୍ଥାନୀୟ ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ଗତ କିଛି ସପ୍ତାହ ଧରି କ୍ରମାଗତ ଭାବେ ଦୁଇଟି ଲଘୁଚାପ, ବନ୍ୟା ଏବଂ ବର୍ତ୍ତମାନର ଘୂର୍ଣ୍ଣିବଳୟ ଯୋଗୁଁ ସେମାନଙ୍କ କୌଳିକ ବୃତ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ମାସ ମାସ ଧରି ସମୁଦ୍ରକୁ ଯାଇ ନପାରିବାରୁ ସେମାନଙ୍କ ରୋଜଗାର ପ୍ରାୟ ଶୂନ୍ୟ ହୋଇଯାଇଛି। ଫଳରେ ଗୁଜୁରାଣ ମେଣ୍ଟାଇବା ପାଇଁ ଋଣ କରିବାକୁ ପଡ଼ୁଥିବାରୁ ଆଗାମୀ ଦିନର ସ୍ଥିତିକୁ ନେଇ ସେମାନେ ନାହିଁ ନଥିବା ଚିନ୍ତାରେ ଅଛନ୍ତି।

ଅନ୍ୟପଟେ, ଲଗାଣ ବର୍ଷା ଓ ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ଢେଉ କୂଳ ଆଡ଼କୁ ମାଡ଼ି ଆସୁଥିବାରୁ କୂଳବର୍ତ୍ତୀ ଅଞ୍ଚଳରେ ମୃତ୍ତିକା କ୍ଷୟ ସୃଷ୍ଟି ହେବାର ଆଶଙ୍କା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମୁଦ୍ରକୂଳିଆ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବ ଆହୁରି କିଛି ସମୟ ଜାରି ରହିବ। ତେଣୁ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯାଇ ସରକାରୀ ସତର୍କ ସୂଚନା ଓ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମତ୍ସ୍ୟ ବିଭାଗ ଅନୁରୋଧ କରିଛି।