ମକ୍କା: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ଏକ ଐତିହାସିକ ସାମରିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଶୁକ୍ରବାର ସାଉଦି ଆରବର ମକ୍କାଠାରେ ଆୟୋଜିତ ଏକ ହାଇ-ପ୍ରୋଫାଇଲ୍ ବୈଠକରେ ତିନି ଦେଶ ‘ମକ୍କା ଯୁଗ୍ମ ପ୍ରତିରକ୍ଷା ଚୁକ୍ତି’ (Mecca Joint Defence Agreement) ରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ତିନୋଟି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ, ତାହାକୁ ଅନ୍ୟ ଦୁଇ ଦେଶ ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯିବ।
ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍, ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରୀଫଙ୍କ ମଧ୍ୟରେ ହୋଇଥିବା ଶିଖର ସମ୍ମିଳନୀ ପରେ ଏହି ସାମରିକ ଚୁକ୍ତିର ଘୋଷଣା କରାଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଚୁକ୍ତିର ମୁଖ୍ୟ ଲକ୍ଷ୍ୟ ହେଉଛି ତିନି ଦେଶ ମଧ୍ୟରେ ସାମୂହିକ ପ୍ରତିରୋଧ ଶକ୍ତିକୁ ସୁଦୃଢ଼ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବା।
ଏହି ତ୍ରିପାକ୍ଷିକ ଚୁକ୍ତି ଫଳରେ ସାଉଦି ଆରବର ବିପୁଳ ତୈଳ ସମ୍ପଦ, ପାକିସ୍ତାନର ପରମାଣୁ କ୍ଷମତା ଏବଂ ନାଟୋ (NATO) ସଦସ୍ୟ ତୁର୍କୀର ଶକ୍ତିଶାଳୀ ସେନା ଏକାଠି ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତି ବଳରେ ତିନି ଦେଶ ମଧ୍ୟରେ ଯୁଗ୍ମ ସାମରିକ ଅଭ୍ୟାସ, ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ତାଲିମ କାର୍ଯ୍ୟକ୍ରମ ଏବଂ ଗୁପ୍ତଚର ସୂଚନା ଆଦାନପ୍ରଦାନ ପାଇଁ ରାସ୍ତା ଫିଟିବ।
ଇରାନ ଏବଂ ତାହାର ସହଯୋଗୀ ଗୋଷ୍ଠୀଙ୍କ ଦ୍ୱାରା କ୍ରମାଗତ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣର ସାମ୍ନା କରୁଥିବା ସାଉଦି ଆରବ ନିଜର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବାକୁ ଚାହୁଁଥିଲା। ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଅସ୍ଥିରତା ଓ ସୁରକ୍ଷା ସଙ୍କଟ ମଧ୍ୟରେ ଏହି ନୂଆ ସାମରିକ ମେଣ୍ଟ ଆଞ୍ଚଳିକ ସୁରକ୍ଷା ସମୀକରଣକୁ ବଦଳାଇବାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।




