ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା ଯୋଜନା’କୁ ନେଇ ଆସିଛି ବଡ଼ ଖବର। ଆସନ୍ତା ଅଗଷ୍ଟ ୨୮ ତାରିଖ ପବିତ୍ର ରକ୍ଷାବନ୍ଧନ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପଞ୍ଚମ କିସ୍ତିର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ୨୫ ତାରିଖ ପରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ ହୋଇ ସୁପାରିଶ କରାଯାଇଥିବା ନୂତନ ଆବେଦନକାରୀଙ୍କୁ ମଧ୍ୟ ଏହି କିସ୍ତିରେ ସାମିଲ କରାଯିବ, ଯଦି ସେମାନେ ଯୋଜନାର ସମସ୍ତ ଯୋଗ୍ୟତା ପୂରଣ କରୁଥିବେ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ପଞ୍ଚମ କିସ୍ତିରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଜୁଲାଇ ୨୫ ସୁଦ୍ଧା ସମସ୍ତ ପେଣ୍ଡିଂ ଆବେଦନର କ୍ଷେତ୍ର ଯାଞ୍ଚ (Field Verification) ଶେଷ କରିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା।
ସରକାରୀ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ନିକଟରେ ୩.୧୭ ଲକ୍ଷରୁ ଅଧିକ ନୂଆ ଆବେଦନ ପହଞ୍ଚିଛି। ଏହି ଆବେଦନଗୁଡ଼ିକ ମଧ୍ୟରୁ ଅଧିକାଂଶର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇସାରିଛି। ପଞ୍ଚମ କିସ୍ତି ଅଧୀନରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ‘ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର’ (DBT) ମାଧ୍ୟମରେ ସିଧାସଳଖ ୫,୦୦୦ ଟଙ୍କା ପଠାଯିବ।
ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚାରୋଟି କିସ୍ତି ମାଧ୍ୟମରେ ୧ କୋଟିରୁ ଅଧିକ ମହିଳାଙ୍କୁ ୨୦,୬୪୮ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିସାରିଛନ୍ତି। ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରମୁଖ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି।




