ଆଡେନ୍: ୟେମେନରେ ପୁଣି ଥରେ ଏକ ବଡ଼ ଧରଣର ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ବୃଦ୍ଧି ପାଇଛି। ସୌଦି ଟ୍ୟାଙ୍କର ଏବଂ ୟେମେନ୍ ସରକାରୀ ସେନା ଉପରେ ହୁତି ବିଦ୍ରୋହୀ ଦଳର ବାରମ୍ବାର ଆକ୍ରମଣ ପରେ ଜାତିସଂଘର ବିଶେଷ ଦୂତ ହାନ୍ସ ଗ୍ରୁଣ୍ଡବର୍ଗ ଏହି ନେଇ ଚେତାବନୀ ଦେଇଛନ୍ତି। ଶୁକ୍ରବାର ଏକ ବିବୃତି ଜାରି କରି ସେ ସ୍ଥିତି ଜଟିଳ ହେଉଥିବା ପ୍ରକାଶ କରିଛନ୍ତି।

ଗ୍ରୁଣ୍ଡବର୍ଗ କହିଛନ୍ତି ଯେ, ମାରିବ୍ ଏବଂ ହାଦ୍ରାମାଉଟ୍ ପ୍ରଦେଶରେ ହୁତି ସଂଗଠନ ପକ୍ଷରୁ ସମ୍ପ୍ରତି କରାଯାଇଥିବା ସାଂଘାତିକ ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଏହାସହ ଲୋହିତ ସାଗର ଏବଂ ଆଡେନ୍ ସାଗର ରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ସମଗ୍ର ଅଞ୍ଚଳରେ ନୂଆ ବିପଦ ସୃଷ୍ଟି କରିଛି।

ବିମାନବନ୍ଦର ସମେତ ବିଭିନ୍ନ ସାଧାରଣ ଭିତ୍ତିଭୂମି ଉପରେ ହେଉଥିବା ଆକ୍ରମଣ ଏବଂ ପାଖ ପଡ଼ୋଶୀ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ନେଇ ସେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଗ୍ରୁଣ୍ଡବର୍ଗ ସ୍ପଷ୍ଟ କରିଛନ୍ତି ଯେ, ଏହିସବୁ ଘଟଣାବଳୀ ୨୦୨୨ ମସିହାରେ ହୋଇଥିବା ଶାନ୍ତି ବୁଝାମଣା ର ସଫଳତାକୁ ମାଟିରେ ମିଶାଇଦେବା ସହ ୟେମେନକୁ ଏକ ଆଞ୍ଚଳିକ ଯୁଦ୍ଧ ଆଡ଼କୁ ଠେଲି ଦେବାର ଆଶଙ୍କା ରହିଛି।

ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେ ଗତ କିଛି ସପ୍ତାହ ମଧ୍ୟରେ ୟେମେନର ବିଭିନ୍ନ ଗୋଷ୍ଠୀ, ଆଞ୍ଚଳିକ ନେତୃବୃନ୍ଦ ଏବଂ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିଛନ୍ତି। ସେ ସମସ୍ତ ପକ୍ଷକୁ ସଂଯମତା ଅବଲମ୍ବନ କରିବା ସହ ଜାତିସଂଘର ମଧ୍ୟସ୍ଥତାରେ ପୁଣି ଶାନ୍ତି ଆଲୋଚନା ଆରମ୍ଭ କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ଶେଷ ଭାଗରେ ହୁତି ବିଦ୍ରୋହୀମାନେ ରାଜଧାନୀ ସାନା ସମେତ ଉତ୍ତର ୟେମେନ୍ ଦଖଲ କରିବା ପରଠାରୁ ଗୃହଯୁଦ୍ଧ ଚାଲିଛି। ୨୦୨୨ ଏପ୍ରିଲରେ ଜାତିସଂଘ ମଧ୍ୟସ୍ଥତାରେ ଶାନ୍ତି ହୋଇଥିଲେ ବି ଅକ୍ଟୋବରରେ ଏହାର ଅବଧି ଶେଷ ହୋଇଥିଲା। ଜୁଲାଇ ମାସରେ ହୁତି ବିଦ୍ରୋହୀମାନେ ସୌଦି ଜାହାଜ ଚଳାଚଳ ଉପରେ କଟକଣା ଘୋଷଣା କରିବା ପରେ ପରିସ୍ଥିତି ଅଧିକ ସଙ୍ଗୀନ୍ ହୋଇପଡ଼ିଛି।