ଚଣ୍ଡିଗଡ଼: ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଅଗଷ୍ଟ ୧୫ରେ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ ବଡ଼ ଧରଣର ହିଂସାତ୍ମକ ଘଟଣା ଘଟାଇବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିବା ଦାବି କରାଯାଇଛି। ଏହାପରେ ପଞ୍ଜାବକୁ ହାଇଆଲର୍ଟରେ ରଖାଯାଇ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି।

ଗୁଇନ୍ଦା ସୂତ୍ର ଅନୁଯାୟୀ, ପଞ୍ଜାବର ବିଭିନ୍ନ ସ୍ଥାନରେ ଆକ୍ରମଣ ପାଇଁ ଖଲିସ୍ତାନ ସମର୍ଥକ ଗୋଷ୍ଠୀଗୁଡ଼ିକ କଥିତ ଭାବେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଦୀର୍ଘଦିନ ଧରି ଏଥିପାଇଁ ପ୍ରସ୍ତୁତି ଚାଲିଥିବା ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୂଚନା ମିଳିଛି।

ସ୍ୱାଧୀନତା ଦିବସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ହିଂସାତ୍ମକ ଘଟଣା ଘଟାଇ ଅନ୍ତର୍ଜାତୀୟସ୍ତରରେ ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟ ରହିଥିବା ଗୁଇନ୍ଦା ସୂଚନାରେ ଉଲ୍ଲେଖ ଥିବା କୁହାଯାଉଛି। ପଞ୍ଜାବରେ ଖଲିସ୍ତାନୀ ନେଟୱାର୍କକୁ ସକ୍ରିୟ କରିବା ପାଇଁ ବିଦେଶୀ ହ୍ୟାଣ୍ଡଲରଙ୍କ ପକ୍ଷରୁ ଉଦ୍ୟମ ଚାଲିଥିବା ନେଇ ମଧ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ରହିଛନ୍ତି।

SFJ କାର୍ଯ୍ୟକଳାପ ଉପରେ ନଜର

ଏହି ପରିପ୍ରେକ୍ଷୀରେ ନିଷିଦ୍ଧ ସଂଗଠନ ‘ଶିଖ୍ସ ଫର୍ ଜଷ୍ଟିସ୍’ (SFJ)ର କାର୍ଯ୍ୟକଳାପ ଉପରେ ମଧ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ନଜର ରଖିଥିବା ଅଧିକାରୀମାନେ କହିଛନ୍ତି।

SFJ ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁ ସୋସିଆଲ ମିଡିଆ ଜରିଆରେ ପଞ୍ଜାବର ଯୁବବର୍ଗଙ୍କୁ ସାର୍ବଜନୀନ ସ୍ଥାନ ଓ ଶିକ୍ଷାନୁଷ୍ଠାନରେ ଖଲିସ୍ତାନୀ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ଦିବସରେ ଭାରତ ସରକାର ବିରୋଧରେ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିବା ଅଭିଯୋଗ ରହିଛି।

ସୋସିଆଲ ମିଡିଆ ପ୍ରଚାର ଉପରେ ମଧ୍ୟ ନଜର

ସୁରକ୍ଷା ଏଜେନ୍ସିଗୁଡ଼ିକ ଅନୁଯାୟୀ, ସୋସିଆଲ ମିଡିଆରେ ଭାରତ ବିରୋଧୀ ପ୍ରଚାର ଏବଂ ଉତ୍ତେଜନାମୂଳକ ବାର୍ତ୍ତା ପ୍ରସାରଣ ନେଇ ମଧ୍ୟ ନଜର ରଖାଯାଉଛି। ବିଶେଷକରି ସ୍ୱାଧୀନତା ଦିବସକୁ ନେଇ ଅନଲାଇନ୍‌ରେ ହେଉଥିବା ପ୍ରଚାର ଓ ଆହ୍ୱାନଗୁଡ଼ିକୁ ଯାଞ୍ଚ କରାଯାଉଛି।

ସୁରକ୍ଷା ଏଜେନ୍ସିଗୁଡ଼ିକ ଆଶଙ୍କା କରୁଛନ୍ତି ଯେ, ଅନଲାଇନ୍‌ ପ୍ରଚାରକୁ ଆଧାର କରି ଭୂମିସ୍ତରରେ ହିଂସାତ୍ମକ କାର୍ଯ୍ୟକଳାପ କିମ୍ବା ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି କରାଯାଇପାରେ।

ଏହି ଗୁଇନ୍ଦା ସୂଚନା ପରେ ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସମ୍ବେଦନଶୀଳ ସ୍ଥାନ, ସାର୍ବଜନୀନ ସ୍ଥଳ ଏବଂ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମସ୍ଥଳରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।